ଭୁବନେଶ୍ୱର: ଅଙ୍ଗ ଦାନ କରିବା ପରେ ହାତରେ ଧରେଇ ଦେଲେ ୧୦ ଲକ୍ଷ ଟଙ୍କାର ହସ୍ପିଟାଲ ବିଲ୍ । ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ ଆମେରିକାର ଜଣେ ବ୍ୟକ୍ତି ,ଯିଏ କି ନିଜ ସମ୍ପର୍କୀୟଙ୍କୁ କିଡ୍ନୀ ଦାନ କରିଥିଲେ । ଏଖବର ପ୍ରଘଟ ହେବା ପରେ ଶେଷରେ ଉକ୍ତ କମ୍ପାନୀ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କୁ କ୍ଷମା ମାଗିଛନ୍ତି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଆମେରିକାରେ ରହୁଥିବା ଏଲିଓଟ ମଲିନ(Elliot Malin) ତାଙ୍କ ସମ୍ପର୍କୀୟଙ୍କୁ କିଡ୍ନୀ ଦାନ କରିଥିଲେ। ଅଙ୍ଗ ଦାନ କରି ଏଲିଓଟ ତାଙ୍କ ସମ୍ପର୍କୀୟଙ୍କୁ ଏକ ନୂତନ ଜୀବନ ଦେଇଥିଲା ସତ, ହେଲେ ଡାକ୍ତରଖାନାରୁ ଯେତେବେଳେ ସେ ଡିସଚାର୍ଜ ହୋଇଥିଲେ ସେତେବଳେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଅପରେସନ୍ ଏବଂ ଯେଉଁ ସମ୍ପର୍କୀୟଙ୍କୁ ସେ କିଡ୍ନୀ ଦାନ କରିଥିଲେ ତାଙ୍କର ସୁସ୍ଥତା ପର୍ଯ୍ୟନ୍ତ ୧୦ ଲକ୍ଷ ଟଙ୍କାର ହସ୍ପିଟାଲ ବିଲ୍ ପୈଠ କରିବା ପାଇଁ ଏଲିଓଟ ମଲିନଙ୍କ ନିକଟକୁ ଏକ ଚିଠି ଆସିଥିଲା । ଆନାସ୍ଥେସିଆ ପ୍ରଦାନ କରୁଥିବା କମ୍ପାନୀ ଦ୍ୱାରା ଏହି ବିଲ୍ ପ୍ରଦାନ କରାଯାଇଥିଲା, ଯଦି ଟଙ୍କା ପୈଠ ନ କରନ୍ତି ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ମଧ୍ୟ ଦିଆଯାଇଥିଲା ।
ନିୟମ ଅନୁଯାୟୀ, ଯିଏ ନିଜ ଅଙ୍ଗକୁ କାହାକୁ ଦାନ କରନ୍ତି, ତାଙ୍କଠାରୁ କୌଣସି ଡାକ୍ତରୀ ବିଲ୍ ଆଦାୟ କରାଯାଏ ନାହିଁ । ଏହି ଖର୍ଚ୍ଚ ଅଙ୍ଗ ଗ୍ରହଣ କରୁଥିବା ସଂସ୍ଥା ଦ୍ୱାରା ବହନ କରାଯାଇଥାଏ । ଏଭଳି ପରିସ୍ଥିତିରେ, ମଲିନ୍ ଗ୍ରହଣ କରିଥିବା ୧୦ ଲକ୍ଷ ବିଲ୍ ବାସ୍ତବରେ ଚିନ୍ତାର କାରଣ ଥିଲା । ପରବର୍ତ୍ତୀ ସମୟରେ ଭୁଲ ବୁଝି ପାରି ମାଲିନଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ କମ୍ପାନୀ କତ୍ତୃପକ୍ଷ।