ସବୁ ସୀମା ପାର କଲେ ମାଓବାଦୀ, ଅପହରଣ ପରେ ଯବାନଙ୍କୁ ଗଳାକାଟି ହତ୍ୟା

ମାଲକାନଗିରି : ସୀମା ଲଙ୍ଘିଲାଣି ମାଓବାଦୀଙ୍କ କାର୍ଯ୍ୟକଳାପ | ଯବାନଙ୍କୁ ଘରୁ ଅପହରଣ ପରେ ଗଳା କାଟି ହତ୍ୟା କରିଛି ନୃଶଂସ ମାଓବାଦୀ | ଛତିଶଗଡ଼ର ସୁକମା ଜିଲ୍ଲା ପେଟା ଗାଁରେ ଘଟିଛି ଏହି ଅଘଟଣ |

ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଂଡ ଦେଖିବାକୁ ମିଳିଛି | ଡିଆରଜି ଯବାନଙ୍କୁ ଘରୁ ଅପରହଣ ପରେ ଗଳା କାଟି ହତ୍ୟା କରିଛନ୍ତି | ମୃତ ଯବାନ ଜଣଙ୍କ ହେଲେ ବେଟ୍ଟି ଭୀମା |

ଯବାନ ବେଟ୍ଟି ଭୀମାଙ୍କ ଘର ଦୋର୍ଣ୍ଣାପାଲ ଥାନା ଅନ୍ତର୍ଗତ ପେଟା ଗାଁରେ | ସେ ଗତକାଲି ଗାଁକୁ ଯାଇଥିଲେ | ରାତିରେ ଘରେ ଶୋଇଥିବା ସମୟରେ ୧୦ ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ଆସି ବନ୍ଧୁକ ଦେଖାଇ ତାଙ୍କୁ ଘରୁ ଉଠାଇ ନେଇଥିଲେ | ସକାଳ ହେଲା ପରେ ଗାଁ ମୁଣ୍ଡ ରାସ୍ତାରେ ଯବାନଙ୍କ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ | ମାଓବାଦୀ ଯବାନଙ୍କୁ ପଥରରେ ଛେଚିବା ସହ ଗଳା କାଟି ଅତି ନିର୍ମମ ଭାବରେ ହତ୍ୟା କରିଥିବାର ଜଣାଯାଏ | ଏ ଘଟଣା ପରେ ପେଟା ଗାଁରେ ଭୟର ବାତାବରଣ ସୃଷ୍ଟି ହେଇଛି |