ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା ନନ୍ଦନକାନନ, ସାମାଜିକ ଦୂରତା ସହ ମାସ୍କ ବାଧ୍ୟତାମୂଳକ…ହେଲେ ଯାଇପାରିବେନି ଏମାନେ

ଭୁବନେଶ୍ୱର: ବହୁ ପ୍ରତୀକ୍ଷା ପରେ ଶେଷରେ ଖୋଲିଛି ନନ୍ଦନକାନନ ଚିଡିଆଖାନା । କରୋନା କଟକଣା ମଧ୍ୟରେ ପର୍ଯ୍ୟଟକ ମାନଙ୍କ ପାଇଁ ଆଜି ଖୋଲିଛି ନନ୍ଦନକାନନ ଆଉ ବଟାନିକାଲ ଗାର୍ଡେନ । ହେଲେ ଏହି ସମୟରେ ପର୍ଯ୍ୟଟକମାନଙ୍କ ପାଇଁ କିଛି କଟକଣା ଲାଗୁ କରାଯାଇଛି । କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପ୍ରବେଶ ମନା, ମାସ୍କ ବାଧ୍ୟତା ମୂଳକ, ବୟସ୍କ ଆଉ ଶିଶୁଙ୍କୁ ନନ୍ଦନକାନନ ଆଣିବାକୁ ବାରଣ କରାଯାଇଛି । ଏହା ସହ ସାଙ୍ଗରେ ଆଣିଥିବା ଲଗେଜକୁ ମଧ୍ୟ ପର୍ଯ୍ୟଟକମାନେ ଭିତରକୁ ନେଇ ପାରିବେନି । ଏଥିପାଇଁ ଏକ ସ୍ୱତନ୍ତ୍ର କାଉଣ୍ଟର କରାଯାଇଛି । ଯେଉଁଠାରେ ସେମାନେ ସେମାନଙ୍କ ଲଗେଜ କୁ ସୁରକ୍ଷିତ ଭାବେ ରଖି ଭିତରକୁ ଯାଇପାରିବେ । ଏହା ସହ ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଇ -ଟିକେଟର ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି । ଚିଡିଆଖାନାକୁ ବୁଲିବାକୁ ଆସିଥିବା ପ୍ରତ୍ୟେକ ପର୍ଯ୍ୟଟକଙ୍କୁ ଚେକ କରାଯାଇଛି ଭିତରକୁ ଛଡା ଯାଉଛି । ସେହିପରି ବଟାନିକାଲ ଗାର୍ଡେନରେ ଭୋଜିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ବଟାନିକାଲ ଗାର୍ଡେନରେ ପର୍ଯ୍ୟଟକମାନେ କେବଳ ବୁଲିପାରିବେ । ତେବେ ପ୍ରଥମ ଦିନରେ ନନ୍ଦନକାନନକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି ।

କେବଳ ନନ୍ଦନକାନନ ନୁହେଁ କରୋନା କଟକଣା ମଧ୍ୟରେ ଖୋଲିଛି ଡେରାସ ଡ୍ୟାମ ଓ ଡମପଡା ଅଭୟାରଣ୍ୟ । ଡେରାସ ଡ୍ୟାମରେ ବୋଟିଂ, ଜଙ୍ଗଲ ସଫରିର ମଜା ନେଇପାରିବେ ପଯ୍ୟଟକମାନେ । ହେଲେ ଚନ୍ଦକାରେ ଥିବା କଟେଜରେ ରାତ୍ରିଯାପନ ଆଉ ବଣ ଭୋଜିକୁ ସମ୍ପୂର୍ଣ ଭାବେ ବାରଣ କରାଯାଇଛି । କତୃପକ୍ଷଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମକୁ ଅଣଦେଖା କରନ୍ତି ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ଜୋରିମାନା ମଧ୍ୟ ଆଦାୟ କରାଯିବ ।