ଭୁବନେଶ୍ୱର: ଅନେକ ଦିନ ଅପେକ୍ଷା କରିବା ପରେ ଶେଷରେ ଭାରତରେ ପହଞ୍ଚିଥିଲା ୟୁକ୍ରେନରେ ମୃତ୍ୟୁ ବରଣ କରିଥିବା ଭାରତୀୟ ଛାତ୍ର ନବୀନ ଶେକରାପ୍ପାଙ୍କ ମୃତଦେହ । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପୀଡିତାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ନବୀନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ହେଲେ ଏହି ଦୁଃଖଦ ସମୟରେ ନବୀନଙ୍କ ପିତା ଏଭଳି ଏକ ଘୋଷଣା କରିଥିଲେ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା।
ମୃତ ପୁଅର ଶରୀରକୁ ଏକ ଘରୋଇ ମେଡିକାଲ କଲେଜକୁ ଦାନ କରିବେ ବୋଲି ନବୀନଙ୍କ ବାପା କହିଛନ୍ତି। ନବୀନଙ୍କ ପିତା ANI କୁ କହିଛନ୍ତି ଯେ ମୋ ପୁଅ ମେଡିକାଲ କ୍ଷେତ୍ରରେ କିଛି କରିବାକୁ ଚାହୁଁଥିଲା, କିନ୍ତୁ ତାହା ହୋଇପାରିଲା ନାହିଁ। ଅନ୍ତତଃ ପକ୍ଷେ ତାଙ୍କ ଶରୀରକୁ ଅନ୍ୟ ଡାକ୍ତରୀ ଛାତ୍ରମାନେ ଅନୁସନ୍ଧାନ ପାଇଁ ବ୍ୟବହାର କରିପାରିବେ। ତେଣୁ ଆମେ ସ୍ଥିର କରିଛୁ ଯେ ଗବେଷଣା ପାଇଁ ଆମେ ନବୀନଙ୍କ ଶରୀରକୁ ଦାନ କରିବୁ।
ନବୀନ ଶେଖରପ୍ପା କର୍ଣ୍ଣାଟକର ହାଭେରୀ ଜିଲ୍ଲାର ବାସିନ୍ଦା ଥିଲେ। ୨୧ ବର୍ଷୀୟ ନବୀନ ୟୁକ୍ରେନର ଖାର୍କିଭରେ ଥିବା ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ପଢୁଥିଲେ। ମାର୍ଚ୍ଚ ୧ ତାରିଖରେ ସେ ଖାଦ୍ୟ କିଣିବା ପାଇଁ ବାହାରକୁ ଯାଇଥିବା ବେଳେ ରୁଷ ସେନାର ଆକ୍ରମଣରେ ମୃତ୍ୟୁବରଣ କରିଥିଲେ । ନବୀନଙ୍କ ମୃତ୍ୟୁ ପରେ କର୍ଣ୍ଣାଟକ ସରକାର ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିଲେ ଏବଂ ପରିବାରର ଜଣେ ସଦସ୍ୟଙ୍କ ପାଇଁ ସରକାରୀ ଚାକିରି ମଧ୍ୟ ଘୋଷଣା କରିଛନ୍ତି।