ଇଣ୍ଡିଆ ବୁକ ଅଫ ରେକର୍ଡ ଓ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ‘ସ୍ପ୍ରିଙ୍ଗ ଗାର୍ଲ’

ନୟାଗଡ଼ : ଇଣ୍ଡିଆ ବୁକ ଅଫ ରେକର୍ଡ ଏବଂ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ସର୍ବକନିଷ୍ଠ ପ୍ରତିଯୋଗୀ ପ୍ରିୟା | ମାତ୍ର ସାଢେ ୩ ବର୍ଷରେ ସ୍ପ୍ରିଙ୍ଗ ଗାର୍ଲ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ପ୍ରିୟା ଏବେ ୧୮ ଟି ଭାଷାର ଖବର କାଗଜ ପୃଷ୍ଠା ମଣ୍ଡନ କରି ସାରିଲେଣି |

‘ଛୋଟ ପୁଣି ଏଡ଼େ ସେ ବିରାଟ ‘ କବିତାଟି ଭଳି ମାତ୍ର ସାଢେ ୩ ବର୍ଷର ଛୋଟ ଝିଅ ଆଜି ଓଡ଼ିଶାର ନାଁକୁ ଉଚ୍ଚ ସ୍ତରକୁ ନେଇଯାଇଛି | ବାପା ମାଙ୍କ ଟେକ ବଜାଇ ରଖିଛି | ଖନି ଖନି ପାଟିରେ ନିଜ ନାଁ ଠିକ ଭାବେ ଉଚ୍ଚାରଣ କରିପାରୁନି ତଥାପି ସେ ଯାହା କରିକି ଦେଖାଉଛି ଆଶ୍ଚର୍ଯ୍ୟଠୁ ବଳିକି | ସ୍ପ୍ରିଙ୍ଗ ଭଳି କାମ କରୁଛି ଅଷ୍ଟାଙ୍ଗ ଶରୀର | ଜିମ୍ନାଷ୍ଟିକର ବଡ଼ ବଡ଼ କଷ୍ଟ ଆସନ ଅତି ସହଜରେ କରିପାରୁଛି ପ୍ରିୟା |

ସାଢେ ୩ ବର୍ଷର ପ୍ରୀୟା ବାପା-ମାଙ୍କ ୨ ଝିଅଙ୍କ ମଧ୍ୟରୁ ସାନ ଝିଅ ସେ | ବାପା ବିଜୟ କୁମାର ନାୟକ ଏବଂ ମା ବିଷ୍ଣୁପ୍ରିୟାଙ୍କ ଇଛା ଶକ୍ତି ଯୋଗୁ ଝିଅ ଜିମ୍ନାଷ୍ଟିକରେ ନିଜର ସ୍ୱତନ୍ତ ପରିଚୟ ପାଇ ଏତେ ଦୂର ଆଗେଇ ଆସିଛି | ଅଭାବୀ ପରିବାରରେ ବାପା ବିଜୟ କୁମାର ଏତେ ବଡ ସ୍ୱପ୍ନ ଦେଖିବାର ସାହସ କରିଥିଲେ | ନିଜେ ଟ୍ରେନର ସାଜି ମାତ୍ର ଦେଢ଼ ବର୍ଷରୁ ପ୍ରିୟାଙ୍କୁ ଦେଲେ ତାଲିମ | ଯାହାର ଫଳ ସ୍ୱରୂପ ପ୍ରିୟାଏବେ ଇଣ୍ଡିଆ ବୁକ ଅଫ ରେକର୍ଡ ଏବଂ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି | ଝିଅ ୧୮ ଟି ଭାଷାର ଖବର କାଗଜ ପୃଷ୍ଠା ମଣ୍ଡନ କରିବା ପରେ ବାପା ମା ବହୁତ ଖୁସି | ତେବେ ସାରା ରାଜ୍ୟ ପାଇଁ ଗୌରବ ଆଣିଥିବା ଏହି କୁନି ଝିଅକୁ ସ୍ଥାନୀୟ ଅଞ୍ଚଳରୁ ପ୍ରସଂସାର ସୁଅ ଛୁଟୁଛି | ୟୁନିଭର୍ସ ଅଫ ବୁକ ରେକର୍ଡ ପାଇଁ ପ୍ରିୟା ମନୋନୀତ ହୋଇଥିଲେ ମଧ୍ୟ ଆବଶ୍ୟକୀୟ ଫି ୫୦ ହଜାର ଦେବାକୁ ପରିବାର ଲୋକ ବିଫଳ ହେବାରୁ ଏହି ତାଲିକାରେ ପ୍ରିୟାଙ୍କ ନାଁ ଯୋଡ଼ି ପାରୁ ନାହାନ୍ତି ବିଜୟ | କେବଳ ସେତିକି ନୁହେଁ, ପ୍ରିୟା ର ଆଗକୁ ଅନେକ ଅର୍ଥର ଆବଶ୍ୟକ ପଡିବ ସେଥିପାଇଁ ସେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ଆଶା କରୁଛନ୍ତି ବୋଲି କହିଛନ୍ତି ପ୍ରିୟାଙ୍କ ବାପା ମା |