ଭୁବନେଶ୍ୱର: ଗଭୀର ସମୁଦ୍ରରୁ ୨ ଜଣଙ୍କ ଜୀବନ ବଞ୍ଚାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଓଡ଼ିଆ ଯୁବକ । ଆମେ କହୁଛୁ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ପଥର ପୁଞ୍ଜି ଗ୍ରାମର ଚିତ୍ତ ରଞ୍ଜନ ପ୍ରଧାନଙ୍କ କଥା। ପିଲାବେଳୁ ଚିତ୍ତ ଶ୍ରୀ ମା ଅରବିନ୍ଦଙ୍କ ଭକ୍ତ । ବିଶେଷକରି ଧ୍ୟାନ କରିବାକୁ ସେ ବହୁତ ଭଲ ପାଆନ୍ତି । ପ୍ରତେକ ବର୍ଷ ନୂଆ ବର୍ଷରେ ପୁଣ୍ଡୁଚେରୀ ଆଶ୍ରମ ଯାଇ ସେଠାରେ ସେ ଧ୍ୟାନ କରନ୍ତି । ଚଳିତ ବର୍ଷ ସେ ଆଶ୍ରମରୁ ଧ୍ୟାନ ସାରି ଫେରୁଥିବା ବେଳେ ସମୁଦ୍ର କୂଳରେ ବହୁତ ଲୋକ ଜମା ହୋଇଥିଲେ । ଚିତ୍ତ ସେଠାରେ ପହଞ୍ଚି ଦେଖନ୍ତି ତ ସମୁଦ୍ରରେ ତିନି ଜଣ ବୁଡି ଯାଉଛନ୍ତି ।
ଯାହାକୁ ଦେଖିବା ପରେ ଚିତ୍ତ କାଳବିଳମ୍ବ ନ କରି ସମୁଦ୍ର ମଧ୍ୟକୁ ଲମ୍ପ ମାରିଥିଲେ । ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଜୀବନ ବଞ୍ଚେଇବାରେ ସକ୍ଷମ ହୋଇଥିଲେ । ମାତ୍ର ଅନ୍ୟ ଜଣେ ସମୁଦ୍ର ଗର୍ଭରେ ନିଖୋଜ ହୋଇଗଲେ। ଉଦ୍ଧାର ହୋଇଥିବା ଦୁଇ ଜଣଙ୍କ ମଧ୍ୟରେ ଜଣେ ଜାତୀୟ ସ୍ତରର ବକ୍ସିଂ ଖେଳାଳି ଓ ଅନ୍ୟ ଜଣେ କୋଚ୍ । ଏହି ଘଟଣା ଜାଣିବାପରେ , ପୁଣ୍ଡୁଚେରୀ ମୁଖ୍ୟମନ୍ତ୍ରୀ ତାଙ୍କୁ ଡକେଇ ପଠେଇବା ସହ ବାଚସ୍ପତିଙ୍କ ଦ୍ଵାରା ତାଙ୍କୁ ସଂମ୍ମାନିତ କରିଥିଲେ । ଓଡ଼ିଶାର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କ କଥା ମନେପକେଇ ଚିତ୍ତ ରଞ୍ଜନଙ୍କୁ ଦ୍ଵିତୀୟ ବିଜୁ ପଟ୍ଟନାୟଙ୍କର ଆଖ୍ୟା ଦେଇଥିଲେ । ଚିତ୍ତ ରଞ୍ଜନଙ୍କ ଏଭଳି ସାହାସିକତା ଆଉ ଉଦ୍ୟମକୁ ଆଜି ସମସ୍ତେ ପ୍ରଶଂସା କରୁଛନ୍ତି ।