ନୂଆଦିଲ୍ଲୀ: ଯାହାକୁ ରଖିବେ ଅନନ୍ତ,କି କରିପାରେ ବଳବନ୍ତ । ବେଳେବେଳେ ଏହି କଥାଟି ବାସ୍ତବ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଏପରି ଏକ ମାମଲା ଝାଡ଼ଖଣ୍ଡ ଲୋହରଡାଗା ଜିଲ୍ଲାରୁ ସାମ୍ନାକୁ ଆସିଛି, ଯେଉଁଠାରେ କି ମାଟି ଭିତରୁ ଏକ ଶିଶୁକୁ ଜୀବନ୍ତ ଉଦ୍ଧାର କରାଯାଇଛି ।
ବାସ୍ତବରେ, ଏ ପୁରା ଘଟଣା ହେଉଛି ଲୋହରଡାଗାର କୁଡୁ ପୋଲିସ୍ ଷ୍ଟେସନ୍ ଅଞ୍ଚଳର । ଶନିବାର ସନ୍ଧ୍ୟା ପ୍ରାୟ ସାତଟା ବେଳେ ସେଇ ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ପିଲାଟିର କ୍ରନ୍ଦନ ଶୁଣିବାକୁ ପାଇଥିଲେ । ସେଠାକୁ ଯିବା ପରେ ସେ ଦେଖିଲେ ଯେ ଏକ ନବଜାତ ଶିଶୁକୁ ଭୂମି ତଳେ ପୋତି ଦିଆଯାଇଛି ।
ସେ ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କୁ ଏକାଠି କରି ଶିଶୁଟିକୁ ସୁରକ୍ଷିତ ଭାବେ ମାଟିରୁ ବାହାର କରାଯାଇଥିଲା । ସେତେବେଳେ ପିଲାଟି ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା । ପରେ ଗ୍ରାମବାସୀଙ୍କ ପକ୍ଷରୁ ପୋଲିସ ଏବଂ ଶିଶୁ ସୁରକ୍ଷା ବିଭାଗକୁ ସୂଚନା ଦିଆଯାଇଥିଲା ।
ଗାଁର ମହିଳାମାନେ ମଧ୍ୟ ଶିଶୁକୁ କ୍ଷୀର ମଧ୍ୟ ଖାଇବାକୁ ଦେଇଥିଲେ। କେବଳ ଏତିକି ନୁହେଁ, ଗାଁର ଅନେକ ଲୋକ ମଧ୍ୟ ସେହି ପିଲାକୁ ଗ୍ରହଣ କରିବାକୁ ଏବେ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ ନବଜାତ ଶିଶୁର ପିତାମାତାଙ୍କୁ ମଧ୍ୟ ଖୋଜିବା ଆରମ୍ଭ ହୋଇଛି। ଶିଶୁ କଲ୍ୟାଣ ବିଭାଗ ସତର୍କତାମୂଳକ ଶିଶୁକୁ ଡାକ୍ତରଖାନା ପଠାଇଛି।