ଭୁବନେଶ୍ୱର: କରୋନା ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିୟମରେ ଅନେକ ପରିବର୍ତ୍ତନ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, କରୋନା ଚିକିତ୍ସା ପାଇଁ COVID ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ COVID-19 ଟେଷ୍ଟ ରିପୋର୍ଟର କୌଣସି ଆବଶ୍ୟକତା ନାହିଁ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ନୂତନ ନିର୍ଦ୍ଦେଶ ଅନୁଯାୟୀ କରୋନା ଲକ୍ଷଣ ଥିବା ରୋଗୀଙ୍କୁ କରୋନା ରିପୋର୍ଟ ସକରାତ୍ମକ ନ ଆସିଲେ ମଧ୍ୟ CCC, DCHC କିମ୍ବା DHC ୱାର୍ଡରେ ଭର୍ତ୍ତି କରାଯିବ। କୌଣସି ରୋଗୀଙ୍କୁ କୌଣସି ଡାକ୍ତରଖାନାରେ ସେବା ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ। ସେ ଯେ କୌଣସି ଅଂଚଳର ହୁଅନ୍ତୁ ନା କାହିଁକି ତାଙ୍କୁ ଅକ୍ସିଜେନ୍ କିମ୍ବା ଅତ୍ୟାବଶ୍ୟକ ଔଷଧରୁ ବଂଚିତ କରାଯାଇ ପାରିବ ନାହିଁ ।
ଯେଉଁ ସହରରେ ତାଙ୍କୁ ଭର୍ତ୍ତି କରାଯାଇଛି ସେହି ସହରରେ ତାଙ୍କର ପରିଚୟ ନାହିଁ ବୋଲି ରୋଗୀଙ୍କୁ ଚିକିତ୍ସା କ୍ଷେତ୍ରରେ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ,ଆବଶ୍ୟକତା ଅନୁସାରେ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ ନା କି ରିପୋର୍ଟ ଆଧାରରେ ବୋଲି କୁହାଯାଇଛି ।