ଭୁବନେଶ୍ୱର: ଆମ ଦେଶରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଭୋଗରେ ଲାଗେ ନୁଡୁଲ୍ସ ଆଉ ଚିପ୍ସ । କୋଲକାତାର ଟଙ୍ଗ୍ରା ଅଞ୍ଚଳରେ (Tangra) ଏକ ‘ଚାଇନିଜ୍ କାଳୀ ମନ୍ଦିର’ ରହିଛି । ଯାହାକି ଚାଇନା ଟାଉନ୍ (China Town) ଭାବରେ ବେଶ ଜଣାଶୁଣା।
ଏହି ମନ୍ଦିରରେ କେବଳ ଚାଇନିଜ୍ ଖାଦ୍ୟ ଭୋଗ ଭାବରେ ଦିଆଯାଉ ନାହିଁ, ବରଂ ଏଠାରେ ପ୍ରଜ୍ୱଳିତ ଧୂପକାଠି ମଧ୍ୟ ଚାଇନାରୁ ଆସିଥାଏ ।
ମା କାଳୀଙ୍କ ଏହି ମନ୍ଦିରରେ ଚାଇନିଜ୍ ପ୍ରସାଦ ଅର୍ପଣ କରିବାର ଏକ ବିଶେଷ କାରଣ ରହିଛି। ପ୍ରାୟ ୨୦ ବର୍ଷ ପୂର୍ବେ ଏହି ମନ୍ଦିର ଚାଇନା ଏବଂ ବଙ୍ଗୀୟ ଲୋକଙ୍କ ଦାନରେ ନିର୍ମିତ ହୋଇଥିଲା । ଏହି ସ୍ଥାନରେ ଗତ ୬୦ ବର୍ଷ ଧରି, ମାତା ଦେବୀଙ୍କୁ ଏକ ଗଛ ମୂଳରେ ପୂଜା କରାଯାଉଥିଲା ।
ସ୍ଥାନୀୟ ଲୋକ କୁହନ୍ତି ଯେ ବହୁ ବର୍ଷ ପୂର୍ବେ ଜଣେ ଚାଇନିଜ୍ ବାଳକ ଗୁରୁତର ଅସୁସ୍ଥ ହୋଇପଡିଥିଲା। ଏହି ବାଳକ ଉପରେ କୌଣସି ଚିକିତ୍ସା କାମ କରୁନଥିଲା । ଦିନେ ଶିଶୁର ପିତାମାତା ତାଙ୍କୁ ଆଣି ଗଛ ମୂଳରେ ପୂଜା ପାଉଥିବା ମାଙ୍କ ପାଖରେ ଶରଣ ନେଲେ । ପୁଅର ଆରୋଗ୍ୟ କାମନା କରି ମାତା-ପିତା ଦେବୀଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ ଏବଂ ଚମତ୍କାର ଭାବରେ ବାଳକଟି ସୁସ୍ଥ ହୋଇଗଲା । ଏହା ପରେ ଏହି ମନ୍ଦିର ନିର୍ମାଣ ହେଲା ଏବଂ ଏହି ମନ୍ଦିର ହିନ୍ଦୁ ସମ୍ପ୍ରଦାୟ ତଥା ଚୀନ୍ ସମ୍ପ୍ରଦାୟ ପାଇଁ ଏକ ବିଶ୍ୱାସର କେନ୍ଦ୍ରରେ ପରିଣତ ହେଲା ।
ଯେତେବେଳେ ଚାଇନାର ଲୋକମାନେ ମନ୍ଦିରକୁ ଆସିବା ଆରମ୍ଭ କଲେ, ସେମାନେ ମଧ୍ୟ ନିଜ ସଂସ୍କୃତି ଅନୁଯାୟୀ ମାତା ଦେବୀଙ୍କୁ ଖାଦ୍ୟ ଅର୍ପଣ କରିବା ଆରମ୍ଭ କଲେ। ସେବେଠାରୁ ଭକ୍ତମାନେ ଭୋଗ ଆକାରରେ ଏଠାରେ ନୁଡୁଲ୍ସ, ଚିପ୍ସ ଇତ୍ୟାଦି ମା’ଙ୍କୁ ଦେବାକୁ ଲାଗିଲେ। ମା କାଳୀଙ୍କ ଏହି ମନ୍ଦିରରେ ଆଜିପର୍ଯ୍ୟନ୍ତ ଏହି ପରମ୍ପରା ଚାଲିଆସୁଛି ।