ଚର୍ଚ୍ଚାରେ ନୂଆପଡାର ଅଟୋ ଡ୍ରାଇଭର, କରୋନା କାଳରେ ରୋଗୀଙ୍କ ପାଇଁ ସାଜିଛନ୍ତି ଦେବଦୂତ

ନୂଆପଡା: ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଲୋକେ ଭୟରେ ଜୀବନ ଯାପନ କରୁଛନ୍ତି । ଯଦି କୌଣସି ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ତେବେ ଭୟରେ ତାଙ୍କ ପାଖ କେହି ମାଡୁନାହାନ୍ତି । କରୋନାରେ ମୃତ୍ୟୁବରଣ କରିବା ବ୍ୟକ୍ତିଙ୍କ ଶବକୁ କାନ୍ଧ ମିଳୁନି । ଏଭଳି ସ୍ଥିତିରେ ଦେବଦୂତ ସାଜିଛନ୍ତି ଜଣେ ଅଟୋ ଡ୍ରାଇଭର । ଜ୍ବର କାଶ ତଥା ଥଣ୍ତାରେ ପୀଡିତଥିବା ବ୍ୟକ୍ତିଙ୍କୁ ନିଜ ଅଟୋରେ ବସାଇ ମେଡିକାଲ ଆଣି ଟେଷ୍ଟିଂ ତଥା ଅନ୍ୟାନ୍ୟ ପରୀକ୍ଷା କରାଉଛନ୍ତି ।

ନୂଆପଡା ଜିଲ୍ଲା କୋମନା ବ୍ଲକ କୋନାବିରା ପଞ୍ଚାୟତର ଅଟୋ ଚାଳକ ଜଣେ ଏଚଆଇଭି ପଜିଟିଭ । ଜୀବନକୁ ଆଉ ତାଙ୍କ ଭରଷା ନାହିଁ । ଅଟୋରୁ ଯାହାବି ଦୁଇପଇସା ରୋଜଗାର ହୁଏ ସେଥିରେ ନିଜର ପରିବାର ଚଳାନ୍ତି । ତେବେ କିଛି ଦିନ ହେବ କୋନାବିରା ପଞ୍ଚାୟତରେ କରୋନା ପଜିଟିଭ୍ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜ୍ବର କାଶ କିମ୍ବା ଥଣ୍ତା ପୀଡିତଙ୍କୁ କୌଣସି ଗାଡି ମେଡିକାଲକୁ ନେବାକୁ ମନା କରିଦେଉଛନ୍ତି । ଏଭଳି ସ୍ଥିତିରେ ଅଟୋ ଚାଳକ ଜଣକ ଦିନ ରାତି ଏକ କରିଦେଇଛନ୍ତି । ଯେତେବେଳେ ବି ଯେଉଁଠୁ ସୂଚନା ପାଆନ୍ତି ସେଇଠି ଦେବଦୂତ ପରି ପହଞ୍ଚିଯାଆନ୍ତି । ରୋଗୀଙ୍କୁ ନିଜ ଅଟୋରେ ବସାଇ ମେଡିକାଲ ଆଣି କରୋନା ଟେଷ୍ଟ କରାନ୍ତି । ପଜିଟିଭ ଚିହ୍ନଟ ହେଲେ ବି ତାଙ୍କୁ ନେଇ ଘରେ ଛାଡନ୍ତି । ମେଡିକାଲ ନେବା ଆଣିବାରେ କାହାଠାରୁ ଗାଡି ଭଡା ମଧ୍ୟ ନିଅନ୍ତି ନାହିଁ । ଅଟୋ ଡ୍ରାଇଭରଙ୍କ ଏଭଳି ମହାନତାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ସଭିଏଁ ।

 

Post End