ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପାରିତ

ଭୁବନେଶ୍ୱର : ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପାରିତ | ଗୃହରେ ଉପସ୍ଥାପାନ କରିଥିଲେ ମୁଖ୍ୟମନ୍ତ୍ରୀ |

ବିଧାନସଭାରେ ଉପସ୍ଥାପିତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା | ଏହି ଐତିହାସିକ ଯୋଜନାକୁ ଗୃହରେ ଉପସ୍ଥାପନା କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ”ଓଡିଆ ଜାତିର ସବୁଠାରୁ ବଡ ପରିଚୟ ହେଉଛନ୍ତି ଶ୍ରୀଜଗନ୍ନାଥ | ଆମ ଇତିହାସ, ସଂସ୍କୃତି, ପରମ୍ପରା ଓ ଆମ ବିଶ୍ୱାସ ସବୁ କିଛି ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢି ଉଠିଛି | ଆମର ସୌଭାଗ୍ୟ ଯେ ଆମ ସମୟରେ ହିଁ ମହାପ୍ରଭୁଙ୍କ ଧାମର ବିକାଶ ପାଇଁ ସେ ଆମକୁ ସୁଯୋଗ ଦେଇଛନ୍ତି | ମହାପ୍ରଭୁଙ୍କୁ ଶାନ୍ତ, ସୁନ୍ଦର ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଦର୍ଶନ କରିବା ଲକ୍ଷ ଲକ୍ଷ ଭକ୍ତଙ୍କ ଇଚ୍ଛା | ଯେଉଁଥିପାଇଁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିକ୍ରମା ଯୋଜନା |”

ନବୀନ ଆହୁରି ମଧ୍ୟ କହିଛନ୍ତି ଯେ , ”ଏଭଳି ସୁଯୋଗ ବହୁତ କମ ଆସେ | ଯୁଗ ଯୁଗ ପରେ ଏଭଳି ମୁହୂର୍ତ୍ତ ଆସେ | ଏହି ଅମୂଲ୍ୟ ସମ୍ପଦକୁ ଆମେ ଉତ୍ତରାଧିକାରୀ ସୂତ୍ରରେ ଆମର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ସାଇତି ରଖିଛୁ | ତେଣୁ ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତେ ସଂକଳ୍ପ ନେଇ କାମ କରିବା ଓ ଶୀଘ୍ର ଶେଷ କରିବାକୁ ନିଷ୍ଠାର ସହ ଉଦ୍ୟମ କରିବା |”

”ଏହି ଯୋଜନା ସାଢେ ୪ କୋଟି ଓଡ଼ିଆଙ୍କ ନିଜ ଯୋଜନା | ଏଭଳି ମହାନ କାର୍ଯ୍ୟ ପାଇଁ ମୁଁ ଗଜପତି ମହାରାଜାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି | ସେହିପରି ଏହି ଯୋଜନାକୁ ଆଗେଇ ନେବା ପାଇଁ ଆମର ସେବାୟତ ବନ୍ଧୁ, ପୁରୀର ଜନସାଧାରଣ ଓ ଏଥିରେ ସହାୟତା କରିଥିବା ପ୍ରତ୍ୟେକଙ୍କୁ ମୁଁ ଧନ୍ୟବାଦ ଜଣାଉଛି ” ବୋଲି ନବୀନ କହିଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ଏହି ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହରେ ପାରିତ ହୋଇଛି |

ନବୀନ ଏ କଥା ମଧ୍ୟ ଉପସ୍ଥାପନା କରିଥିଲେ ଯେ , ”ଓଡିଆ ସ୍ୱାଭିମାନ ପାଇଁ ଯେଉଁ ମହାପ୍ରଭୁ ଦିନେ କାଞ୍ଚି ଅଭିଯାନରେ ବାହାରି ଥିଲେ, ଭକ୍ତର ମାନ ରକ୍ଷା ପାଇଁ ଯେଉଁ ମହାପ୍ରଭୁ ନନ୍ଦିଘୋଷ ଛାଡି ବାଲି ରଥରେ ବିଜେ କରିଥିଲେ, ସେ କାଳିଆ ଠାକୁର ଜଗନ୍ନାଥଙ୍କ ସେବାରେ, ତାଙ୍କ ଧାମର ବିକାଶରେ ଆମେ ଯଦି କିଛି ବି ଅବଦାନ ରଖିପାରିବା, ତେବେ ଜଣେ ଓଡିଆ ଭାବରେ ଏହା ହେବ ଆମର ଶ୍ରେଷ୍ଠ ସୌଭାଗ୍ୟ |”