ଯାଜପୁରରେ ଅଭାବନୀୟ ଘଟଣା: ବୃଦ୍ଧାଙ୍କୁ ମାଡ଼ ମାରିଲେ, ଭାଙ୍ଗିଦେଲେ ଘର

ଭୁବନେଶ୍ୱର: ଯାଜପୁରରେ ଅଭାବନୀୟ ଘଟଣା। ସମ୍ପତ୍ତି ପାଇଁ ଭୁଲିଗଲେ ମାନବିକତା। ବୃଦ୍ଧାଙ୍କୁ ମାଡ଼ ମାରିବା ସହ ଖୁଣ୍ଟରେ ବାନ୍ଧି ଭାଙ୍ଗିଦେଲେ ଘର। ଫିଙ୍ଗିଦେଲେ ଆସବାସ ପତ୍ର। ନେଇଗଲେ ଟଙ୍କା ଓ ସୁନା ଅଳଙ୍କାର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରାଇ ଥାନା ଶିଶୁଆ ଗ୍ରାମରେ।

ସୂଚନା ମୁତାବକ ଶିଶୁଆ ଗ୍ରାମର ବନ୍ଧର୍ବ ମହାରଣା ନିକଟସ୍ଥ ଶାଳକଣା ଗାଁ ରାସ୍ତା କଡ଼ରେ ଥିବା ନିଜ ଜମିରେ କିଛିଦିନ ହେବ ଘର କରି ରହିଆସୁଛନ୍ତି । ହେଲେ ଘର କରିଥିବା ଜମିକୁ ନେଇ ଜଣେ ସମ୍ପର୍କୀୟ ଭାଇ ସ୍ଥାନୀୟ ଖସାଗଡିଆ ଗ୍ରାମର ଅଲେଖ ମହାରଣାଙ୍କ ସହ କିଛିଦିନ ହେବ ତାଙ୍କର ତିକ୍ତତା ଲାଗି ରହିଥିଲା। ଏହି ଜମିକୁ ନେଇ ବିଭିନ୍ନ ସମୟରେ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହେଉଥିଲା। କଥା ଥାନାରୁ କୋର୍ଟ ପର୍ଯ୍ୟନ୍ତ ଗଲା । ହେଲେ ଜମି ପାଇଁ ହୋଇଥିବା ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି।

ଉଭୟ ପରିବାର ମଧ୍ୟରେ ଲାଗିରହିଥିବା ଏହି ବିବାଦ ଗତକାଲି ଉଗ୍ରରୂପ ନେଇଥିଲା। ଅପରାହ୍ନରେ ଗନ୍ଧର୍ବ ଘରେ ନଥିବା ସମୟରେ ତାଙ୍କ ସମ୍ପର୍କୀୟ ଭାଇ ୨୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଧରି ସେଠାରେ ପହଞ୍ଚିଥିଲେ। ଘରେ ଥିବା ଗନ୍ଧର୍ବଙ୍କ ପୁଅ ଓ ଝିଅକୁ ମାରଣାସ୍ତ୍ର ଦେଖାଇ ଧମକାଇବାରୁ ସେ ଘର ଛାଡ଼ି ଗାଁ ଭିତରକୁ ପଳାଇଥିଲେ। ଏହି ସମୟରେ ଘରେ ଥିବା ଗନ୍ଧର୍ବଙ୍କ ସ୍ତ୍ରୀ ସାବିତ୍ରୀ ମହାରଣାଙ୍କୁ ସେମାନେ ନିସ୍ତୁକ ମାଡ଼ ମାରିବା ସହ ଦଉଡ଼ି ସାହାଯ୍ୟରେ ଖୁଣ୍ଟରେ ବାନ୍ଧି ଦେଇଥିଲେ। ପରେ ଘରର ଆସବାସ ପତ୍ର ବାହାରକୁ ଫିଙ୍ଗି ଦେବା ସହ ଘରକୁ ଭାଙ୍ଗି ଦେଇଥିଲେ। ଏଥିସହିତ ଘରେ ଥିବା ଟଙ୍କା ଓ ସୁନା ଅଳଙ୍କାର ନେଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।