ମହାନତା ଦେଖାଇଲେ ଓଲିଉଡ଼ ଅଭିନେତା

କଟକ : ଫ୍ୟାନ୍ସଙ୍କ ଇଛା ପୂରଣ କଲେ ଅଭିନେତା ବାବୁସାନ୍ ମହାନ୍ତି |

ଓଲିଉଡ଼ ଅଭିନେତା ବାବୁସାନ୍ ମହାନ୍ତି ତାଙ୍କ ପ୍ରଶଂସକଙ୍କ ପାଇଁ ପହଞ୍ଚି ଗଲେ ମେଡିକାଲରେ | ରୋଗ ଶଯ୍ୟାରେ ପଡିଥିବା ୧୪ ବର୍ଷୀୟ ଚିଣ୍ଟୁ ନିଜ ପ୍ରିୟ ହିରୋଙ୍କୁ ପାଖରେ ପାଇଁ ଖୁସିରେ ଆତ୍ମହରା ହେଇପଡିଥଲେ | କାମାକ୍ଷାନଗର ଅଞ୍ଚଳର ଚିଣ୍ଟୁ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ |

ପ୍ରଥମେ ଚିଣ୍ଟୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ନିରାଶ ହେବା ପରେ କଟକ ଏସସିବି ମେଡିକାଲରେ ଭର୍ତ୍ତି ହେଇଥିଲେ | ମେଡ଼ିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଡାକ୍ତରମାନଙ୍କ ସତ ଚେଷ୍ଟା ପରେ ଚିଣ୍ଟୁର ଜୀବନ ବଂଚିଯାଇଛି ହେଲେ ତାର ଦୁଇ ହାତ ଓ ଗୋଟେ ଗୋଡ଼ କାଟିବାକୁ ପଡିଛି ଡାକ୍ତରଙ୍କୁ | ନବମ କ୍ଲାସରେ ପଢ଼ୁଥିବା ଚିଣ୍ଟୁ ନିଜର ଏଭଳି ଦୁର୍ଦ୍ଦଶା ଦେଖି କାନ୍ଦି କାନ୍ଦି ହସ୍ପିଟାଲ ବେଡ଼ରେ ତା ଭାଇକୁ କହିଥିଲା | ସେ କହିଥିଲା, ”ମୁଁ ଏବେ କେମିତି ପରୀକ୍ଷା ଦେବି, କେମିତି ଚାଲିବି..ମୋ ପ୍ରିୟ ହିରୋ ବାବୁଶାନ କୁ କେମିତି ଦେଖିବି?

ଏହି ଖବର ମିଡିଆ ମାଧ୍ୟମରେ ଅଭିନେତାଙ୍କ ପାଖରେ ପହଂଚିବା ପରେ ଚିଣ୍ଟୁକୁ ଭେଟିବା ପାଇଁ ମେଡିକାଲରେ ପହଂଚି ଯାଇଥିଲେ ବାବୁସାନ | ଏମିତି ହଠାତ୍ ବାବୁସାନଙ୍କୁ ମେଡିକାଲରେ ଦେଖି ଚିଣ୍ଟୁ ବହୁତ ଖୁସି ହେଇଯାଇଥିଲା | ବାବୁସାନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲା ଚିଣ୍ଟୁ | ତେବେ ତାର ଚିକିତ୍ସା ପାଇଁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ କରିବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଅଭିନେତା ବାବୁସାନ୍ |