ଭୁବନେଶ୍ୱର: ନିଜ ସ୍ୱାର୍ଥ ସରିଗଲେ ମଣିଷ ସିନା ଭୁଲିଯାଇପାରେ ହେଲେ ପଶୁମାନେ କେବେ ବି ଆପଣଙ୍କ ସାହାଯ୍ୟ,ଭଲପାଇବାକୁ ଭୁଲିପାରନ୍ତି ନାହିଁ । ସୋସିଆଲ ମିଡିଆରେ ପଶୁ ଏବଂ ମାଲିକଙ୍କ ମଧ୍ୟରେ ଥିବା ସମ୍ପର୍କ ସହିତ ଜଡିତ ଅନେକ ଭିଡିଓ ଆମେ ସୋସିଆଲ ମିଡିଆରେ ଦେଖିଛେ ଆଉ ଅନେକ କାହାଣୀ ଶୁଣିଛେ । ଆଜି ଆମେ ଆପଣଙ୍କୁ ଏପରି ଏକ କାହାଣୀ କହିବାକୁ ଯାଉଛୁ, ଯାହା ଶୁଣିବା ଦ୍ୱାରା ଆପଣ ମଧ୍ୟ ଭାବପ୍ରବଣ ହୋଇଯିବେ।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ୬ ନଭେମ୍ବର ୨୦୨୧ ରେ ସର୍ବିଆର ପୂର୍ବତନ ମୁଫତି ଶେଖ ମୁଆମେର ଜୁକୋରଲିଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ମୁଆମେର ଜୁକୋରଲି ସର୍ବିଆର ମୁସଲମାନ ସମ୍ପ୍ରଦାୟର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ । ତାଙ୍କ ପୋଷା ବିଲେଇ ତାଙ୍କୁ ଏତେ ଭଲ ପାଉଥିଲା ଯେ ମୃତ୍ୟୁର ଦୁଇମାସ ପରେ ମଧ୍ୟ ସେ ତାଙ୍କର କବର ଠାରୁ ଦୂରେଇ ଯିବାକୁ ଚାହୁଁନଥିଲା ।
ଦୁଇମାସ ପରେ ବି ବିଲେଇ ତାଙ୍କ କବର ପାଖରେ ବସିଥିବାର ଦେଖିବାକୁ ମିଳିଥିଲା । ୬ ନଭେମ୍ବରରେ ଜୁକୋରଲିଙ୍କ ମୃତ୍ୟୁ ପରେ ବିଲେଇ ତାଙ୍କ କବର ନିକଟରେ ପହଞ୍ଚିଲା । ଦିନ ପରେ ଦିନ ଗଡିଚାଲିଲା, ପ୍ରବଳ ଥଣ୍ଡା ଆସିଥିଲା, କିନ୍ତୁ ବିଲେଇ ନିଜ ସ୍ଥାନରୁ ହଟିଲା ନାହିଁ। ସେ ପ୍ରତିଦିନ ତାଙ୍କ କବର ପାଖରେ ବସିଥିବାର ଦେଖିବାକୁ ମିଳେ । ଆଉ ବିଲେଇର ମାଲିକ ପ୍ରତି ଥିବା ଏଭଳି ଭଲପାଇବା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି ।