ଭୁବନେଶ୍ୱର : ଗୁରୁବାର ନନ୍ଦନକାନନରେ ଆତଙ୍କ ଖେଳାଇ ଦେଇଥିଲା ବାଘ । ୩୩ (A) ଖୁଆଡ଼ର ତାର ଜାଲିକୁ କାଟି ବାଘ ବାହାରକୁ ଚାଲି ଆସିଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଏହା ଜାଣିବା ପରେ ନନ୍ଦନକାନନର କର୍ମଚାରୀମାନେ ପାଟି କରି ତାକୁ ଘଉଡ଼େଇବାକୁ ଚେଷ୍ଟା କରିଥିଲେ । କର୍ମଚାରୀଙ୍କ ହୋହାଲ୍ଲା ଶୁଣି ବାଘଟି ଶେଷରେ ସଫାରୀ ମଧ୍ୟକୁ ଚାଲି ଯାଇଥିଲା । ହେଲେ ଏନେଇ ନନ୍ଦନକାନନ କି ପର୍ଯ୍ୟଟକଙ୍କ ଉପରେ କୌଣସି ପ୍ରଭାବ ପଡ଼ିନାହିଁ । ତେବେ ନନ୍ଦନକାନନ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଆଜି ଏକ ବଡ଼ ଅଘଟଣରୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଥିଲେ ।
ହେଲେ ସେପଟେ ଏହି ଘଟଣାକୁ ଖଣ୍ଡନ କରିଛନ୍ତି ନନ୍ଦନକାନନ ଉପ-ନିର୍ଦ୍ଦେଶକ ସଞ୍ଜିତ କୁମାର । ସେ କହିଛନ୍ତି ଏଭଳି କିଛି ଘଟଣା ଆମ ଦୃଷ୍ଟିକୁ ଆସିନାହିଁ । ନନ୍ଦନକାନନରେ ଥିବା ସମସ୍ତ ବାଘ ନିଜ ଖୁଆଡ଼ରେ ଅଛନ୍ତି । ପର୍ଯ୍ୟଟକମାନେ ଖୁଆଡ଼ରେ ଥିବା ବାଘଙ୍କୁ ଯେମିତି ଦେଖିବା କଥା ସେମିତି ଦେଖୁଛନ୍ତି ।