ପକ୍ଷାଘାତ ରୋଗରେ ପୀଡିତ ଥିଲେ ଦୁଲାର ଚନ୍ଦ୍ର ମୁଣ୍ଡା, କରୋନା ଟିକା ନେବା ମାତ୍ରେ ଉଠି ଚାଲିଲେ !

ଭୁବନେଶ୍ୱର: କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ସାରା ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ କରାଯାଉଛି। ଏଭଳି ପରିସ୍ଥିତିରେ ଝାଡଖଣ୍ଡରୁ କରୋନା ଟିକା ସହ ଜଡିତ ଏକ ଅଜବ ଖବର ସାମ୍ନାକୁ ଆସିଛି, ଯେଉଁଠାରେ ପକ୍ଷାଘାତ ରୋଗୀଙ୍କୁ କରୋନା ଟିକା ଦିଆଯାଇଥିଲା। ପରଦିନ ସେ ଉଠି ଚାଲିବାକୁ ଲାଗିଥିଲେ । ୪ ବର୍ଷ ଧରି ବିଛଣାରେ ପଡ଼ିଥିବା ପକ୍ଷାଘାତ ରୋଗୀ କିପରି ହଠାତ୍ ସୁସ୍ଥ ହୋଇଗଲା ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ, ଝାଡଖଣ୍ଡର ବୋକାରୋର ସାଲଗାଡିହ ଗାଁର ୫୫ ବର୍ଷିୟ ଦୁଲାରଚନ୍ଦ୍ର ମୁଣ୍ଡା ପକ୍ଷାଘାତ କାରଣରୁ ବିଗତ ଚାରି ବର୍ଷ ଧରି ବିଛଣାରୁ ଉଠିପାରୁନଥିଲେ । କିନ୍ତୁ ବର୍ତ୍ତମାନ ଦାବି କରାଯାଉଛି ଯେ ସେ କରୋନା ଟିକାର ଗୋଟିଏ ମାତ୍ରା ନେବା ପରେ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି । ପକ୍ଷାଘାତରେ ପୀଡିତ ଦୁଲାର ଶେଷରେ ବିଛଣାରୁ ଉଠି ଚାଲିବାକୁ ଲାଗିଥିଲେ । ତେବେ ତାଙ୍କୁ କୋଭିଶିଲ୍ଡ ଟିକା ର ପ୍ରଥମ ଡୋଜ ଦିଆଯାଇଥିଲା।

ଗତ ବର୍ଷ ଜୁଲାଇ ମାସରେ ମଧ୍ୟ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା। ଯେତେବେଳେ ଛତିଶଗଡର କାବିରଡହମ୍ ଜିଲ୍ଲାର ଜଣେ ବ୍ୟକ୍ତି ଦାବି କରିଥିଲେ ଯେ କରୋନା ଟିକା ପାଇବା ଦ୍ୱାରା ତାଙ୍କର ପକ୍ଷାଘାତ ରୋଗ ଭଲ ହୋଇଯାଇଛି। ଏହି ବ୍ୟକ୍ତିଙ୍କର ଡାହାଣ ହାତରେ ୩ ବର୍ଷ ଧରି ପକ୍ଷାଘାତ ହୋଇଥିଲା । ତେବେ ସ୍ୱାସ୍ଥ୍ୟ ବିଭାଗ ଏ ବାବଦରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।