ଭୁବନେଶ୍ୱର : ବୁଲିବାକୁ କିଏ ଭଲ ନ ପାଏ । କିଏ ବସ୍, ଟ୍ରେନ୍, ଆଉ କିଏ କାର୍ ରେ ନିଜ ମନପସନ୍ଦ ସ୍ଥାନକୁ ବୁଲିବାକୁ ଯାଇଥାନ୍ତି , କିନ୍ତୁ ଦୂର ଦେଶକୁ ଯାତ୍ରା କରିବା ପାଇଁ ବିମାନ ହେଉଛି ସବୁଠାରୁ ସୁବିଧାଜନକ ଉପାୟ। ଯଦି କୁହାଯାଏ ଯେ ଆପଣ ବସ୍ ଯୋଗେ ଭାରତରୁ ୟୁରୋପକୁ ଯାତ୍ରା କରିପାରିବେ, ତେବେ ଆପଣ ଏହାକୁ ବିଶ୍ୱାସ କରିବେ ନାହିଁ, କିନ୍ତୁ ଏହା ସମ୍ଭବ ହେବାକୁ ଯାଉଛି ।
ଜାତୀୟଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖୁବ ଶୀଘ୍ର ଦିଲ୍ଲୀରୁ ଲଣ୍ଡନ ପର୍ଯ୍ୟନ୍ତ ବସ୍ ସେବା ଆରମ୍ଭ ହେବାକୁ ଯାଉଛି । Adventures Overland ଦ୍ୱାରା ପରିଚାଳିତ ‘ବସ୍ ଟୁ ଲଣ୍ଡନ’ ରେ ଯାତ୍ରା କରିବା ପାଇଁ ହେଲେ ଯାତ୍ରୀମାନଙ୍କୁ ୨୦ ହଜାର ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୧୫ ଲକ୍ଷ ଟଙ୍କା ଦେବାକୁ ପଡିବ । ଏଥିରେ ଟିକେଟ୍, ଭିସା ଏବଂ ରହଣି ଭଳି ସମସ୍ତ ସୁବିଧା ଅନ୍ତର୍ଭୂକ୍ତ ହେବ । ଏହି ଯାତ୍ରା ୭୦ ଦିନ ହେବ । ଏହି ସମୟରେ ବସ୍ ପ୍ରାୟ ୨୦ ହଜାର କିଲୋମିଟର ଦୂରତା ଅତିକ୍ରମ କରିବ। ଯାତ୍ରୀମାନେ ୧୮ ଟି ଦେଶ ଦେଇ ଯିବେ ।
ଏହି ବିଳାସପୂର୍ଣ୍ଣ ବସ୍ ରେ ୨୦ ଟି ସିଟ୍ ରହିବ ଏବଂ ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଅଲଗା କ୍ୟାବିନ ରହିବ । ଏଥିରେ ଖାଇବା ପିଇବା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସମସ୍ତ ସୁବିଧା ରହିବ । ତେବେ ଏହି ବିଳାସପୂର୍ଣ୍ଣ ବସ୍ ସେବା ସେପ୍ଟେମ୍ବରରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି।