ମରିଗଲାଣି ମାନବିକତା, କରୋନାରେ ମୃତ୍ୟୁ ଯୋଗୁ ମିଳିଲାନି ଚାରି କାନ୍ଧ

ବଲାଙ୍ଗିର : ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଜନସାଧାରଣ ଭୟଭୀତ ଅବସ୍ଥାରେ ଅଛନ୍ତି | ନିଜ ଆଖି ଆଗରେ ମୃତ୍ୟୁକୁ ଦେଖୁଥିବା ଏ ମଣିଷ ଦିନକୁ ଦିନ ହରେଇ ବସିଲାଣି ମଣିଷପଣିଆ | ଯେଉଁ ସମ୍ପର୍କ ପାଇଁ ମଣିଷ ସବୁକିଛି ତ୍ୟାଗ କରୁଥିଲା କରୋନା ପାଇଁ ସେଇ ସମ୍ପର୍କକୁ ଆଡ ଆଖିରେ ବି ଚାହିଁପାରୁନି | ଯେଉଁ ମଣିଷ ତାର ଜୀବନ କାଳ ମଧ୍ୟରେ ଏତେ ବଡ ସାମ୍ରାଜ୍ୟ ତିଆରି କରୁଛି ଆଉ ସେ ଆଖି ବୁଝିଲା ପରେ ତାକୁ ଚାରିଟା କାନ୍ଧ ବି ମିଳିପାରୁନି | ଏହାଠାରୁ ଲଜ୍ୟାଜନକ କଥା ଆଉ କଣ ବା ହେଇପାରେ | ଆଜି ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାଲୁଡୁଙ୍ଗୁରୀ ଗାଁରେ ଦେଖିବାକୁ ମିଳିଛି |

ମିଳିଥିବା ସୂଚନା ଅନୁସାରେ, ଗତ କିଛି ଦିନ ହେବ ଭାଲୁଡୁଙ୍ଗୁରୀ ଗାଁର ୫୫ ବର୍ଷୀୟ ଅଯୋଧ୍ୟା ସାହୁ ଜ୍ୱରରେ ପୀଡିତ ଥିଲେ | ଖପ୍ରାଖୋଲ ହସ୍ପିଟାଲକୁ ଅଣାଯିବା ପରେ ଜଣାପଡିଲା ସେ କରୋନାରେ ଆକ୍ରାନ୍ତ | ସେ ଏତେ ଗୁରୁତର ଥିଲେ ଯେ ଗତକାଲି ସଂଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଅଯୋଧ୍ୟା କରୋନାରେ ମୃତ୍ୟୁବରଣ କରିଥିବା ହେତୁ ସାହିପଡିଶା, ବନ୍ଧୁବାନ୍ଧବ ଏପରିକି ନିଜ ପରିବାର ସଦସ୍ୟ ମଧ୍ୟଶବ ଛୁଇଁବାକୁ ମନା କରିଦେଇଥିଲେ | ପୁଅ ଦାମୋଦର ବାପାଙ୍କ ଶବକୁ ସତ୍କାର ପାଇଁ ସମସ୍ତଙ୍କୁ କାକୁତି ମିନତୀ ହେବା ପରେ ମଧ୍ୟ କେହି ଆସି ନ ଥିଲେ | ଶେଷରେ ଦାମୋଦର ପିପିଇ କିଟ୍ ପିନ୍ଧି ବାପାଙ୍କ ମୃତଦେହକୁ ପଲିଥିନ ଗୁଡାଇ ଏକ ସାଇକେଲରେ ଲୋଡ କରି ଆଣିଲେ | ଗାଁ ଠାରୁ ଦୁଇ କିଲୋମିଟର ଜଙ୍ଗଲ ଭିତରକୁ ଶବକୁ ନେଇ ସତ୍କାର କରିଥିଲେ ପୁଅ ଦାମୋଦର |