ଶୁକ୍ରାଣୁ ଉପରେ ପ୍ରଭାବ ପକାଏ ଫାଇଜର ଏବଂ ମଡର୍ନା ଟିକା ? ବୈଜ୍ଞାନିକ ରଖିଲେ ଉତ୍ତର

ଭୁବନେଶ୍ୱର: କରୋନା ଭାଇରସ୍ ଟିକା ଫାଇଜର ଏବଂ ମଡର୍ନା ଟିକା ପୁରୁଷଙ୍କ ଶୁକ୍ରାଣୁରେ ବିଶେଷ ପ୍ରଭାବ ପକାଇଥାଏ । ଏଭଳି କିଛି ଅଭିଯୋଗ ଆସିବା ପରେ ବୈଜ୍ଞାନିକ ମାନେ ଏକ ଅଧ୍ୟୟନ କରିଥିଲେ । ଅଧ୍ୟୟନରେ ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ ଯେ, ଟିକା ନେବା ଦ୍ୱାରା ଶୁକ୍ରାଣୁରେ କୌଣସି ପରିବର୍ତ୍ତନ ହୁଏ ନାହିଁ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ୧୮ ରୁ ୫୦ ବର୍ଷ ବୟସ୍କ ସ୍ୱେଚ୍ଛାସେବୀମାନଙ୍କୁ ଫାଇଜର ଏବଂ ମଡର୍ନାର mRNA ଟିକା ଦିଆଯାଇଥିଲା। ପ୍ରଥମ ଟିକା ଦେବା ପୂର୍ବରୁ ସେମାନଙ୍କର ଶୁକ୍ରାଣୁ ନମୁନା ନିଆଯାଇଥିଲା । ତା’ପରେ ଟୀକାକରଣର ଦ୍ୱିତୀୟ ମାତ୍ରା ଦେବାର ପ୍ରାୟ ୭୦ ଦିନ ପରେ ଶୁକ୍ରାଣୁ ନମୁନା ନିଆଯାଇଥିଲା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ନିର୍ଦ୍ଦେଶାବଳୀ ଅନୁଯାୟୀ ବୈଜ୍ଞାନିକମାନେ ନମୁନା ପରୀକ୍ଷା କରିଥିଲେ। ଅନୁସନ୍ଧାନରୁ ଜଣାପଡିଥିଲା ଯେ ଫାଇଜର ଏବଂ ମଡର୍ନା ଟିକା ଶୁକ୍ରାଣୁ ଉପରେ କୌଣସି ଖରାପ ପ୍ରଭାବ ପକାଇ ନଥିଲା।