ଭୁବନେଶ୍ୱର: ଶେଷରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ତାରା ଏୟାର (Tara Air) ବିମାନର ଧ୍ୱଂସାବଶେଷ ଦେଖିବାକୁ ମିଳିଛି। ନେପାଳର ସେନା ଦୁର୍ଘଟଣାଗ୍ରସ୍ତ ବିମାନକୁ ଠାବ କରିଛି । ତେବେ ବିମାନରେ ଥିବା ସମସ୍ତ ୨୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ବିମାନରେ ଚାରିଜଣ ଭାରତୀୟ ମଧ୍ୟ ଥିଲେ।
ଉଦ୍ଧାରକାରୀ ଦଳ ସହିତ ସେନା ସମ୍ଭାବ୍ୟ ସ୍ଥାନ ଖୋଜିବାରେ ନିୟୋଜିତ ହୋଇଥିଲେ। ଏହି ବିମାନଟି ପଶ୍ଚିମ ପାହାଡର ଜୋମସମ ବିମାନବନ୍ଦରରେ ଅବତରଣ କରିବାର ଥିଲା । ତିନି ଜଣ ନେପାଳୀ କ୍ରୁ ସଦସ୍ୟଙ୍କ ବ୍ୟତୀତ ଚାରିଜଣ ଭାରତୀୟ ନାଗରିକ, ଦୁଇଜଣ ଜର୍ମାନ ନାଗରିକ ଏବଂ ୧୩ ଜଣ ନେପାଳୀ ଯାତ୍ରୀ ‘ତାରା ଏୟାର୍ ନାମକ 9N-AET ‘ବିମାନରେ ଥିଲେ। କାନାଡା ନିର୍ମିତ ବିମାନ ପୋଖରା ରୁ ଜୋମସୋମକୁ ଯାଉଥିଲା । ବିମାନଟି ମୁସତାଙ୍ଗର ଜୋମସୋମ ଆକାଶରେ କିଛି କ୍ଷଣ ପାଇଁ ଦେଖାଯାଇଥିଲା ପରେ ଏହା ଗତିପଥ ବଦଳାଇଥିଲା। ପରେ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା।
ବିମାନ ସେବା ଯାତ୍ରୀଙ୍କ ତାଲିକା ପ୍ରକାଶ କରିଛି ଯେଉଁଥିରେ ଭାରତୀୟ ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ଓ ବୈଭବୀ ତ୍ରିପାଠୀ ବୋଲି ଜଣାପଡିଛି। ଏମାନେ ସମସ୍ତେ ଗୋଟିଏ ପରିବାରର ହୋଇଥିବା ବେଳେ ସେମାନେ ନେପାଳ ବୁଲିବାକୁ ଯାଇଥିଲେ । ଏହି ୪ ଜଣ ଓଡ଼ିଶାର ହୋଇଥିବା ବେଳେ ମୁମ୍ବାଇର ଥାନେରେ ରହୁଥିଲେ।
ସୂଚନାଯୋଗ୍ୟ ଯେ ୨୦୧୬ ମସିହାରେ ସମାନ ବିମାନର ଏକ ବିମାନ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ଥିବା ସମସ୍ତ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲା।