ମହାରାଷ୍ଟ୍ର : ଜଣେ କଏଦୀ ମହାରାଷ୍ଟ୍ରର ନାଶିକ ସେଣ୍ଟ୍ରାଲ ଜେଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି | ବର୍ତ୍ତମାନ ଡାକ୍ତରମାନେ କଏଦୀଙ୍କ ପେଟରୁ ଏକ ସୁଇସାଇଡ ନୋଟ ଉଦ୍ଧାର କରିଛନ୍ତି ଯେଉଁଥିରେ ଜେଲ କର୍ତ୍ତୃପକ୍ଷ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି |
ମଣିଷ ଭୁଲ କଲେ ଦଣ୍ଡ ପାଏ , ସେଥିପାଇଁ ତ ଆମ ଆଇନ, କାନୁନ | ଆମ ଆଇନ କହେ, ”ଶହେ ଦୋଷୀ ବରଂ ଖଲାସ ହେଇଯାନ୍ତୁ କିନ୍ତୁ ଜଣେ ନିର୍ଦୋଷୀ ଯେମିତି ଦଣ୍ଡ ନ ପାଉ |” ଏଭଳି ଉଚ୍ଚ ବିଚାରଧାରାର ଆଇନ ଯେଉଁଠି ଅଛି ସେଠି ଭୁଲ ହେବ ବା କେମିତି ? ଆମ ଆଖି ଆଗରେ ଏଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ |
ଅସଗର ଅଲି ମନସୁରୀ ନାମକ ଜଣେ ବ୍ୟକ୍ତି ଏକ ହତ୍ୟା ଘଟଣାରେ ମାନ୍ୟବର ବିଚାରପତି ତାଙ୍କୁ ଆଜୀବନ କାରାଦଣ୍ଡ ଘୋଷିତ କରିବା ପରେ ସେ ମହାରାଷ୍ଟ୍ରର ନାଶିକ ସେଣ୍ଟ୍ରାଲ ଜେଲରେ ସଜା କାଟୁଥିଲେ | ସଜା କାଟିବାର କିଛି ଦିନପରେ ହଠାତ ସେ ଜେଲର କୋଠରୀ ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି |
ବର୍ତ୍ତମାନ ଡାକ୍ତରମାନେ କଏଦୀଙ୍କ ପେଟରୁ ଏକ ସୁଇସାଇଡ ନୋଟ ପାଇବା ପରେ ସମସ୍ତେ ସ୍ତବ୍ଧ ହେଇଯାଇଛନ୍ତି | ତାଙ୍କ ଆତ୍ମହତ୍ୟା ନୋଟରେ ଜେଲ କର୍ମଚାରୀ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି | ପ୍ଲାଷ୍ଟିକରେ ଆବୃତ ହୋଇଥିବା ତାଙ୍କ ପେଟରୁ ପୋଷ୍ଟମର୍ଟମ ସମୟରେ ସୁଇସାଇଡ ନୋଟ୍ ଉଦ୍ଧାର କରାଯାଇଛି |
ଅନ୍ୟପକ୍ଷରେ, କଏଦୀଙ୍କ ଆତ୍ମହତ୍ୟା ସମ୍ପର୍କରେ ନାଶିକ ରୋଡ ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ, ”ମନସୁରୀଙ୍କୁ ହତ୍ୟା ମାମଲାରେ ଦଣ୍ଡିତ କରାଯାଇଥିଲା | ଅକ୍ଟୋବର ୭ ରେ ମନସୁରୀ ତାଙ୍କ କୋଠରୀରେ ଫାଶୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା | ପଲିଥିନରେ ଆବୃତ ଆତ୍ମହତ୍ୟା ନୋଟ୍ ଶବ ବ୍ୟବଚ୍ଛେଦ ସମୟରେ ତାଙ୍କ ପେଟରୁ ପଲିଥିନରେ ଆବୃତ ଆତ୍ମହତ୍ୟା ନୋଟ୍ ଉଦ୍ଧାର କରାଯାଇଛି |
ଆତ୍ମହତ୍ୟା ନୋଟ ମୁତାବିକ, ଜେଲ କର୍ମଚାରୀ ତାଙ୍କୁ ହଇରାଣ କରୁଥିଲେ ଏବଂ ଗତ କିଛି ଦିନ ତଳେ ୱାର୍ଡର ଭାବରେ କାମ କରିବାକୁ ମନା କରାଯାଇଥିଲା | ଏହି ଅଭିଯୋଗର ତଦନ୍ତ କରୁଛୁ ” ବୋଲି ପୋଲିସ ଅଧିକାରୀ କହିଛନ୍ତି |
ଅଧିକାରୀ କହିଛନ୍ତି ଯେ, ” ମନସୁରୀ ପଢି କିମ୍ବା ଲେଖି ପାରନ୍ତି ନାହିଁ, ତେଣୁ ନୋଟ୍ ଲେଖିବାରେ ତାଙ୍କୁ କେହି ନିଶ୍ଚୟ ସାହାଯ୍ୟ କରିଛନ୍ତି |” ଆତ୍ମହତ୍ୟା ନୋଟରେ ଦିଆଯାଇଥିବା ଅଭିଯୋଗକୁ ଜେଲ ଅଧିକାରୀମାନେ ଅସ୍ୱୀକାର କରିଛନ୍ତି | ମନସୁରୀଙ୍କ ମୃତ୍ୟୁ ପରେ ଅନ୍ୟ କଏଦୀମାନେ ଉଚ୍ଚ ଅଧିକାରୀଙ୍କୁ ଏକ ଚିଠି ଲେଖି ଆତ୍ମହତ୍ୟା ନୋଟରେ ନାମିତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି |