ଭାବପ୍ରବଣତାର ଭିଡିଓ ସେୟାର କରି ୪.୯ କୋଟି ପାଣ୍ଠି ସଂଗ୍ରହ କଲେ ପ୍ରିୟଙ୍କା ଚୋପ୍ରା

ନୂଆଦିଲ୍ଲୀ : ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ | କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ଭାରତ ଉପରେ କେତେ ଗୁରୁତର ପ୍ରଭାବ ପକାଇଛି ତାହା ଏହି ଭିଡିଓରେ ଦର୍ଶାଯାଇଛି | ଏହି ଭିଡିଓ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି, “ଭାରତରେ କୋଭିଡ-୧୯ର କ୍ଷତିକାରକ ପ୍ରଭାବକୁ ରୋକିବା ପାଇଁ ଯୁଦ୍ଧ ଜାରି ରହିଛି | ଆପଣ ‘ଗିଭ ଇଣ୍ଡିଆ’ ରେ ଦାନ କରି ଏକ ବଡ଼, ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଆଣିପାରିବେ | ଆପଣଙ୍କର ଅବଦାନ ଜୀବନ ରକ୍ଷା କରିବ | #TogetherForIndia @give_india ଲିଙ୍କ କ୍ଲିକ୍ କରି ଦାନ କରିବାକୁ ଅନୁରୋଧ | ”

ଭିଡିଓରେ ରୋଗୀମାନେ ହସ୍ପିଟାଲର ଶଯ୍ୟା ଏବଂ ଅମ୍ଳଜାନ ସିଲିଣ୍ଡର ଖୋଜିବା ପାଇଁ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା | ତା ସହ ମେଡିକାଲ କର୍ମଚାରୀମାନେ ସବୁ ପ୍ରକାରର ଅଭାବ ବିଷୟରେ ଆଲୋଚନା କରୁଛନ୍ତି | ଗତ ସପ୍ତାହରେ ପ୍ରିୟଙ୍କା ‘ଗିଭ ଇଣ୍ଡିଆ’ ସହିତ ଏକ ପାଣ୍ଠି ସଂଗ୍ରହ ଘୋଷଣା କରି ତାଙ୍କ ପ୍ରଶଂସକମାନଙ୍କୁ ଦାନ କରିବାକୁ କହିଥିଲେ ଏବଂ ଭାରତୀୟମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ପାଇବାରେ ଏହା ସାହାଯ୍ୟ କରିବ | ଲଣ୍ଡନରୁ ଏକ ଭାବପ୍ରବଣ ଭିଡିଓ ସେୟାର କରି ପ୍ରିୟଙ୍କା ଲେଖିଛନ୍ତି, “ଭାରତ ମୋ ଘର, ଦୁନିଆର ସବୁଠାରୁ ଦୁଃଖଦ କୋଭିଡ ସଙ୍କଟରେ ପୀଡିତଙ୍କୁ ଆମେ ସମସ୍ତେ ସାହାଯ୍ୟ କରିବା ଆବଶ୍ୟକ | ଲୋକମାନେ ରେକର୍ଡ ସଂଖ୍ୟାରେ ମରୁଛନ୍ତି | ସବୁ ସ୍ଥାନରେ ରୋଗ ଅଛି କିନ୍ତୁ ଏହି ମହାମାରୀ ଚାରିଆଡେ ବ୍ୟାପି ଅନେକ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦଉଛି |”

 

“ମୁଁ କୋଭିଡ ରିଲିଫ ଯୋଗାଉଥିବା ଭାରତର ବୃହତ୍ତମ ସଂଗଠନ ଗିଭ ଇଣ୍ଡିଆ ସହିତ ଏକ ପାଣ୍ଠି ସଂଗ୍ରହ କରୁଛି | ଆପଣ ଯାହା ବି ଦାନ ଦେଇପାରିବେ ତାହା ପ୍ରକୃତରେ ଏକ ଭିନ୍ନତା ଆଣିବ | ମୋର ପ୍ରତି ପ୍ରଶଂସକମାନେ ଯଦି ୧୦ ଡଲାର ଦାନ କରିବେ ତେବେ ତାହା ବଡ ରକମ ହେବ ” ବୋଲି ପ୍ରିୟଙ୍କା ନିଜ ଟ୍ୱିଟରରେ ନିବେଦନ କରିଥିଲେ |

GiveIndia

“ଦୟାକରି ଦାନ କରନ୍ତୁ | ନିକ ଏବଂ ମୁଁ ଦାନ କରୁଛୁ ଆପଣ ବି କରନ୍ତୁ | ଆମେ ସମସ୍ତେ ଦେଖିଛୁ ଯେ ଏହି ଭୁତାଣୁ କେତେ ଦୂର ବିସ୍ତାର ଲାଭ କରିପାରେ | କେହି ଜଣେ ଯଦି ସୁରକ୍ଷିତ ନ ଥିବ ତାହେଲେ ମାନିନେବାକୁ ହେବ ଯେ ଆମେ କେହି ବି ସୁରକ୍ଷିତ ନୁହଁ | ଏହା ଅତ୍ୟନ୍ତ ହୃଦୟସ୍ପର୍ଶୀ ଅଟେ | ଅନେକ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ | ଆମକୁ ଏହି ଭାଇରସକୁ ମାରିବା ଦରକାର, ତାହା କରିବା ଆମ ସମସ୍ତଙ୍କ ପାଇଁ ଅତ୍ୟାବଶ୍ୟକ ହେଇପଡିଛି |”

ଅଭିନେତ୍ରୀ ପ୍ରିୟଙ୍କା ତାଙ୍କ ପାଣ୍ଠି ସଂଗ୍ରହକାରୀଙ୍କ ସହ ୪ କୋଟ ୯୦ ଲକ୍ଷ ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଛନ୍ତି | ପ୍ରାୟ ପ୍ରତ୍ୟେକ ବଲିଉଡ ସେଲିବ୍ରିଟି ସୋସିଆଲ ମିଡିଆରେ ନିବେଦନ କରିଛନ୍ତି | ଯେ କୌଣସି ଉପାୟରେ ପ୍ରଶଂସକମାନଙ୍କୁ ସାହାଯ୍ୟ କରିବାକୁ ଉତ୍ସାହିତ କରୁଛନ୍ତି | ଗୁଜବ ପ୍ରତି ଧ୍ୟାନ ନ ଦେଇ ନିରାପଦରେ ରୁହନ୍ତୁ ବୋଲି ସନ୍ଦେଶ ଦେଇଛନ୍ତି ବଲିଉଡ ସେଲିବ୍ରିଟିମାନେ |