ଐତିହ୍ୟ ଗ୍ରାମରେ ପଟ୍ଟଚିତ୍ର କଳା ଶିବିର, ପ୍ରତେକ ପରିବାରକୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା

ପୁରୀ : ଐତିହ୍ୟ ଗ୍ରାମ ରଘୁରାଜପୁରରେ ଦେଖିବାକୁ ମିଳିଛି ଏକ ନୂଆ ପାରମ୍ପରିକ ଭିତ୍ତିୟ ପଟ୍ଟଚିତ୍ର ଶିବିର | ସମସ୍ତ ପରିବାରର ସଦସ୍ୟମାନେ ନିଜ ଦୁଆରେ ପାରମ୍ପରିକ ଚିତ୍ରକଳା ଆଙ୍କିବାରେ ବ୍ୟସ୍ତ | କୋଭିଡ କଟକଣା ଯୋଗୁଁ ପର୍ଯ୍ୟଟକ ଗାଁକୁ ଆସୁନଥିବାରୁ ହାତ ବାନ୍ଧି ବସି ଆର୍ଥିକ କ୍ଷତି ସହ ନିଜ କୌଳିକ କାମରୁ ଦୁରେଇ ରହୁଛନ୍ତି | ତେଣୁ ରାଜ୍ୟ ସରକାରଙ୍କ ସହଯୋଗରେ ଶିଳ୍ପୀମାନେ ଆର୍ଥିକ ସହାୟତା ପାଇବା ସହ ନିଜ ଦୁଆରକୁ ନିଜେ ସଜାଇବା ପାଇଁ କଳା ଆଙ୍କିବାର ଶିବିର ଏକ ନୂଆ ପ୍ରୟାସ |

କୋଭିଡ ମହାମାରିରେ ବନ୍ଧା ପଡିଛି ଐତିହ୍ୟ ଗ୍ରାମ ରଘୁରାଜପୁର | ପର୍ଯ୍ୟଟକମାନେ ଗ୍ରାମକୁ ଆସୁନଥିବାରୁ ଶିଳ୍ପୀମାନେ ହାତବାନ୍ଧି ବସିବା ସହ ପାରମ୍ପରିକ ପଟ୍ଟଚିତ୍ର କଳା କାମ କାରିବାରୁ ଦୁରେଇ ରହୁଥିବା ଦେଖାଦେଇଥିଲା | ତେଣୁ ଓଡିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଖଣି ନିଗମ ସହାୟତାରେ ପ୍ରତେକ କଳାକାର ପରିବାରକୁ ଆର୍ଥିକ ସହାୟତା ଦଶ ହଜାର ଟଙ୍କା ଯୋଗାଇବା ସହ ଐତିହ୍ୟ ଗ୍ରାମରେ ପାରମ୍ପରିକ ଭିତ୍ତିୟ ପଟ୍ଟଚିତ୍ର କଳା ଶିବିର ଆରମ୍ଭ ହୋଇଛି | ପ୍ରାୟ ଦେଢ ଶହ ପରିବାରର ସଦସ୍ୟମାନେ ନିଜ ଦାଣ୍ଡ ଦୁଆରେ ପଟ୍ଟଚିତ୍ର କଳା ପ୍ରଦର୍ଶନ କରିବେ | ଏହି ଶିବିର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ | ପ୍ରତେକ ପରିବାର ୫୦ ବର୍ଗଫୁଟର ଚିତ୍ରକଳା କରିବେ | ସମୁଦାୟ ଶିବିରରେ ୭୫୦୦ ବର୍ଗଫୁଟର ଚିତ୍ର କଳା ପ୍ରଦର୍ଶିତ ହେବ | ଶେଷରେ ପାଞ୍ଚ ଜଣଙ୍କର କଳାକୁ ଶ୍ରେଷ୍ଠ ବିବେଚିତ କରାଯାଇ ସେମାନଙ୍କୁ ସମ୍ମାନିତ କରାଯିବ |

ଚଳଚଂଚଳ ରଘୁରାଜପୁର ଐତିହ୍ୟ ଶିଳ୍ପୀ ଗ୍ରାମ | ସମସ୍ତ ଶିଳ୍ପୀ ପରିବାର ନିଜ ଦୁଆରକୁ ଚିତ୍ରକଳା ମାଧ୍ୟମରେ ସଜେଇବାରେ ଲାଗିପଡ଼ିଛନ୍ତି | କିଏ ଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର ଭିନ୍ନ ଭିନ୍ନ ଚିତ୍ରକଳା କରୁଛନ୍ତି ତ ଆଉ କେହି କୃଷ୍ଣ ଲୀଳା, ନାଟ ଗଣେଶ, ଜଗନ୍ନାଥଙ୍କ ନାଗାର୍ଜୁନ ବେଶ, କାଳୀୟଦଳନ, ଦଶାବତାର ସହ କୋଭିଡ ସମୟରେ ମାସ୍କ ପିନ୍ଧା ପ୍ରେମୀଯୁଗଳ କଳାକୃତି ବେଶ ନିଆରା | ରାଜ୍ୟ ସରକାରଙ୍କ ଏହି ଶିବିର ଆୟୋଜନ ବେଶ ଖୁସି ଦେଇଛି ବୋଲି ଶିଳ୍ପୀ ମତ ଦେଇଛନ୍ତି | ଆଗକୁ କୋଭିଡ ମହାମାରୀ ଗଲାପରେ ଯେଉଁ ପର୍ଯ୍ୟଟକମାନେ ରଘୁରାଜପୁରକୁ ଆସିବେ ଦେଖିବେ ଐତିହ୍ୟ ଶିଳ୍ପୀ ଗାଁର ରଙ୍ଗ ବଦଳିଯାଇଛି |