ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଲହଡି ଭାଙ୍ଗୁଛି ବର୍ଷା ପାଣି, ଅଧା ବୁଡିଗଲା ବାବାଙ୍କ ବିଗ୍ରହ

ଭୁବନେଶ୍ୱର: ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଆଣ୍ଠୁଏ ଆଣ୍ଠୁଏ ପାଣି। ଲଘୁଚାପ ଜନିତ ଲଗାଣବର୍ଷା ଫଳରେ ବାବାଙ୍କ ଗର୍ଭଗୃହରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି।

ଚାନ୍ଦବାଲି ଅଞ୍ଚଳର ବହୁ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇଥିବା ବେଳେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଲହଡି ଭାଙ୍ଗୁଛି ବର୍ଷା ପାଣି। ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡିଯିବାରୁ ସକାଳ ପହିଲି ନୀତିକାନ୍ତୀରେ ମଙ୍ଗଳ ଆଳତୀ, ପୂଜାର୍ଚ୍ଚନା ବିଳମ୍ବ ହୋଇଥିଲା । ମଟର ଚାଳିତ ପମ୍ପ ଦ୍ୱାରା ଜଳନିଷ୍କାସନ କରାଯାଉଥିବା ମନ୍ଦିର ପ୍ରଶାସନିକ ଅଧିକାରୀ କହିଛନ୍ତି। ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ହେବା ଫଳରେ ତଳମୁଣ୍ଡରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ। ଯାହାକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତ ଥିବା କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧିରେନ କୁମାର ସାମଲ ।

ସେପଟେ ପ୍ରବଳ ବର୍ଷା ପାଇଁ ୧୨ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ୧୩ ଓ ୧୪ ତାରିଖ ପାଇଁ ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡା, ନୟାଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ସୋନପୁର ଓ ବରଗଡ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।