ପ୍ରତିଦିନ ୨୦୦-୩୦୦ ଟନ୍ ଲିକୁଇଡ ମେଡିକାଲ ଅକ୍ସିଜେନ ଯୋଗାଇବ ‘ରତନ ଟାଟା’

ନୂଆଦିଲ୍ଲୀ : ବର୍ତମାନ ଦେଶର ପ୍ରଥମ ଆଉ ପ୍ରଧାନ ସଙ୍କଟ ପାଲଟିଛି କରୋନା ଭାଇରସ | ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଦେଶକୁ ସାହାଯ୍ୟ କରିବା ପାଇଁ ରତନ ଟାଟାଙ୍କ ନେତୃତ୍ୱାଧୀନ ଟାଟା ଷ୍ଟିଲ ଆଗକୁ ଆଗେଇ ଆସିଛି | ଦେଶରେ ଡାକ୍ତରୀ ଅମ୍ଳଜାନର ଅଭାବକୁ ଦେଖି ସେ ବିଭିନ୍ନ ରାଜ୍ୟ ସରକାର ଏବଂ ଡାକ୍ତରଖାନାକୁ ପ୍ରତିଦିନ ୨୦୦-୩୦୦ ଟନ୍ ଲିକୁଇଡ ମେଡିକାଲ ଅକ୍ସିଜେନ ବା ତରଳ ମେଡିକାଲ ଅମ୍ଳଜାନ ଯୋଗାଇବାକୁ ଯାଉଛନ୍ତି |

ଗତ ରବିବାର ଟାଟା ଷ୍ଟିଲ୍ସ ଟ୍ୱିଟରେ ଘୋଷଣା କରିଛି ଯେ, ଜାତୀୟ ତତ୍ପରତାକୁ ଦୃଷ୍ଟିରେ ରଖି କମ୍ପାନୀ ବିଭିନ୍ନ ରାଜ୍ୟ ସରକାର ଏବଂ ଡାକ୍ତରଖାନାକୁ ପ୍ରତିଦିନ ୨୦୦-୩୦୦ ଟନ୍ ଲିକୁଇଡ ମେଡିକାଲ ଅକ୍ସିଜେନ ଯୋଗାଯୋଗାଇବାକୁ ଯାଉଛି |

କରୋନା ସଂକ୍ରମଣ ରୋଗୀଙ୍କ ଚିକିତ୍ସା ପାଇଁ ‘ଲିକୁଇଡ ମେଡିକାଲ ଅକ୍ସିଜେନ’ ନିହାତି ଆବଶ୍ୟକ | ବିଶେଷକରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଗୁରୁତର କୋଭିଡ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଏହା ସଂଜୀବନୀ ସଦୃଶ | ଦେଶ ତଥା ଦିନକୁ ଦିନ ବୃଦ୍ଧି ପାଉଥିବା ରାଜ୍ୟରେ ଅମ୍ଳଜାନର ଅଭାବ ପରିଲକ୍ଷିତ ହେଉଛି |

ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରର ମେଡିକାଲ ଅକ୍ସିଜେନର ଦୈନିକ ଚାହିଦା ୧୪୦୦ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇଛି କିନ୍ତୁ ଏହାର ଉତ୍ପାଦନ କ୍ଷମତା ୧୨୦୦ ମେଟ୍ରିକ୍ ଟନ୍ ଅଟେ |

ଟାଟା ବ୍ୟତୀତ ଅନେକ ଭାରତୀୟ କମ୍ପାନୀ ମିଳିତ ହୋଇ ନାଗରିକ ତଥା ସରକାରଙ୍କୁ ଏହି କରୋନା ଭାଇରସ ମୁକାବିଲା କରିବାରେ ସାହାଯ୍ୟ କରୁଛନ୍ତି, ଯାହା ଧୀରେ ଧୀରେ ସାରା ଦେଶରେ ବ୍ୟାପିଛି | ଜିନ୍ଦଲ ଷ୍ଟିଲ, ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଏବଂ ସେଲ ଭଳି କମ୍ପାନୀ ମଧ୍ୟ ଡାକ୍ତରୀ ବ୍ୟବହାର ପାଇଁ ଅମ୍ଳଜାନ ଯୋଗାଉଛନ୍ତି ବୋଲି ଘୋଷଣା କରିଥିଲେ |

ମହାମାରୀ ସମୟରେ ଏହି ଅବଦାନଗୁଡ଼ିକ ଏକ ସେତୁ ଭାବରେ କାର୍ଯ୍ୟ କରିବ ଏବଂ ଅମ୍ଳଜାନର ଚାହିଦା-ଯୋଗାଣ ବ୍ୟବଧାନକୁ ହ୍ରାସ କରିବା ସହ ନିଶ୍ଚିତ ଭାବରେ ଦେଶରେ ପର୍ଯ୍ୟାପ୍ତ ଅମ୍ଳଜାନ ଯୋଗାଣକୁ ବୃଦ୍ଧି କରିବ |