ଭୁବନେଶ୍ୱର: ରୋଡରେଜ୍ ମାମଲାରେ ବରିଷ୍ଠ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ଏକ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଆବେଦନ ଶୁଣାଣି ବେଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ ସିଦ୍ଧୁଙ୍କୁ ଏହି ମାମଲାରେ ଗୋଟିଏ ବର୍ଷ ଜେଲରେ ରହିବାକୁ ପଡ଼ିବ। ଏଥି ସହିତ ସିଦ୍ଧୁଙ୍କ ଦଣ୍ଡ ହ୍ରାସ କରାଯିବା ଉଚିତ ନୁହେଁ ବୋଲି ଆବେଦନରେ କୁହାଯାଇଛି।
କ’ଣ ଥିଲା ଘଟଣା ?
୧୯୮୮ ରେ ସିଦ୍ଧୁ ନିଜ ବନ୍ଧୁ ରୂପିନ୍ଦର ସିଂହ ସିଦ୍ଧୁଙ୍କ ସହ ପଟିଆଲାର ଶେରାବାଲେ ଗେଟ୍ ମାର୍କେଟ ପହଞ୍ଚିଥିଲେ।ମାର୍କେଟ୍ରେ କାର୍ ପାର୍କିଂକୁ ନେଇ ଜଣେ ବୃଦ୍ଧଙ୍କ ସହ ସିଦ୍ଧୁଙ୍କ ବଚସା ହୋଇଥିଲା। ପରେ ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ ସିଦ୍ଧୁ। ବୃଦ୍ଧଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା।
ସିଦ୍ଧୁ ଏବଂ ତାଙ୍କ ବନ୍ଧୁ କାନୱାର ସିଂହ ସାନ୍ଧୁ ହତ୍ୟାକାଣ୍ଡର ସାବ୍ୟସ୍ତ ହୋଇଥିଲେ । ପଞ୍ଜାବ ହରିୟାଣା ହାଇକୋର୍ଟ ତାଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। କିନ୍ତୁ ଜୁଲାଇ ୨୦୧୮ ରେ ସୁପ୍ରିମକୋର୍ଟ ସାନ୍ଧୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଯେତେବେଳେ ସିଦ୍ଧୁଙ୍କୁ ଆକ୍ରମଣରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ତାଙ୍କୁ ମାତ୍ର ଏକ ହଜାର ଟଙ୍କା ଜୋରିମାନା ଦିଆଯାଇଥିଲା।
ଏହା ବିରୋଧରେ ଗୁରୁନାମ ସିଂହଙ୍କ ପରିବାର ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ। ପରିବାର ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦାବି କରିଥିଲେ। ୧୩ ସେପ୍ଟେମ୍ବର ୨୦୧୮ ରେ, କୋର୍ଟ ବିଚାର ପାଇଁ ଆବେଦନକୁ ଗ୍ରହଣ କରିଥିଲେ ।