ଆରପାରିରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ବିଜୟ ସାହୁ

ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ୍ ବିଜୟ ସାହୁଙ୍କ ଦେହାନ୍ତ | କରୋନାରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ବିଜୟଙ୍କର | ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ବିଜୟଙ୍କର ଚିକିତ୍ସା ଚାଲିଥଲା | ତେବେ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଜଟିଳତା ନେଇ ଗୁରୁତର ଥିଲେ ସେ | ପରେ ତାଙ୍କୁ ଉନ୍ନତମାନର ଚିକିତ୍ସା ପାଇଁ ହାଇଦ୍ରାବାଦକୁ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ଦେହାନ୍ତ ହୋଇଛି |

ବିଜୟଙ୍କ ଦେହାନ୍ତରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି | ସେ ଲେଖିଛନ୍ତି , ବିଶିଷ୍ଟ ଶିକ୍ଷାବିତ୍ ତଥା ଉଦ୍ୟୋଗୀପତି ଡକ୍ଟର ବିଜୟ କୁମାର ସାହୁଙ୍କ ଦେହାନ୍ତ ଖବର ଜାଣି ଅତ୍ୟନ୍ତ ଦୁଃଖିତ | ଓଡ଼ିଶା ଆଦର୍ଶ ବିଦ୍ୟାଲୟ ସଂଗଠନର ଉପଦେଷ୍ଟା ଭାବରେ ସରକାରୀ ବିଦ୍ୟାଳୟର ଶିକ୍ଷାପଦ୍ଧତିକୁ ଉନ୍ନତମାନର କରିବାରେ ତାଙ୍କର ଅଗ୍ରଣୀ ଭୂମିକା ଥିଲା | ତାଙ୍କ ପରିବାର, ବନ୍ଧୁ ଏବଂ ଛାତ୍ରମାନଙ୍କ ପ୍ରତି ମୋର ସମବେଦନା ଜଣେଇଛନ୍ତି ମୁଖ୍ୟମନ୍ତ୍ରୀ |

ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ମଧ୍ୟ ବିଜୟ ସାହୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି | ଏହାଛଡ଼ା ତାଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି |