ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ବନ୍ଦ ବିଦ୍ୟାଳୟଗୁଡ଼ିକୁ ପୁନଃ ଖୋଲିବା ପ୍ରକ୍ରିୟା ଅନେକ ରାଜ୍ୟରେ ଆରମ୍ଭ ହୋଇଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ, ଫେବୃଆରୀ ୧ ରୁ ରାଜସ୍ଥାନରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲାଯିବ । ଫେବୃଆରୀ ୧୦ ରୁ ଷଷ୍ଠ ରୁ ୯ ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ବିଦ୍ୟାଳୟ ଖୋଲିବ । ଛାତ୍ରମାନଙ୍କୁ ବିଦ୍ୟାଳୟକୁ ଆସିବା ପାଇଁ ସେମାନଙ୍କ ପିତାମାତାଙ୍କ ଠାରୁ ଲିଖିତ ଅନୁମତି ନେବାକୁ ପଡିବ।
ତେଲେଙ୍ଗାନା ସରକାର ମଧ୍ୟ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ଘୋଷଣା କରିଛନ୍ତି। ସମସ୍ତ ବିଦ୍ୟାଳୟ, କଲେଜ ଏବଂ ଶିକ୍ଷାନୁଷ୍ଠାନ ଫେବୃଆରୀ ୧ ରୁ ଖୋଲାଯିବ । କର୍ଣ୍ଣାଟକ ସରକାର ଜାନୁୟାରୀ ୩୧ ରୁ ୯ ମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛି। କୋଭିଡ -19 ର ତୃତୀୟ ଲହର ଯୋଗୁଁ ପ୍ରଥମରୁ ୯ ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଥିଲା। ତେବେ ସୋମବାର ଠାରୁ ସମସ୍ତ ବିଦ୍ୟାଳୟ ଖୋଲାଯିବ ବୋଲି ନିଷ୍ପତି ନେଇଛନ୍ତି ସରକାର। ସେହିପରି ଫେବୃଆରୀ ୧ ରୁ ପୁଣେର ସ୍କୁଲ ଏବଂ କଲେଜ ଖୋଲିବ ।
ଫେବୃଆରୀ ୧ ରୁ ଦଶମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ବିଦ୍ୟାଳୟ ଖୋଲିବାକୁ ହରିୟାଣା ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ ପ୍ରଥମରୁ ୯ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ । କୋଭିଡ ନିୟମ ଅନୁଯାୟୀ ରାଜ୍ୟରେ ଥିବା ବିଦ୍ୟାଳୟଗୁଡ଼ିକୁ ପରିଚାଳନା କରିବା ପାଇଁ ରାଜ୍ୟର ଶିକ୍ଷା ବିଭାଗ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛି।