ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ ହେବେ

ସମ୍ବଲପୁର : ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ବନ୍ଧା ହେବେ ସମ୍ପୃକ୍ତ ବ୍ୟକ୍ତି | କଡ଼ା ଚେତାବନୀ ଦେଇଛନ୍ତି ସମ୍ବଲପୁର ଡିଏଫଓ |

ସମ୍ବଲପୁର ସହର ମଝିରେ ଥିବା ଐତିହାସିକ ବୁଢ଼ାରଜା ପାହାଡ଼ରେ ନିଆଁ ଲାଗିବା ପରେ ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି | ଜଙ୍ଗଲରେ ନିଆଁ ଲାଗିଥିବାରୁ ଆଖପାଖ ଗାଁ ଲୋକେ ଭୟଭୀତ ଅଛନ୍ତି | ଗାଁକୁ ନିଆଁ ନ ବ୍ୟାପିବା ପାଇଁ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି | ତେବେ ଏହି ଜଙ୍ଗଲ ନିଆଁକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି ସମ୍ବଲପୁର ଡିଏଫଓ | ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି | ଜଙ୍ଗଲ ନିଆଁ ଉପରେ ସର୍ତକ ଦୃଷ୍ଟି ରଖିବା ପାଇଁ ପ୍ରତି ରେଂଜରଙ୍କ ଅଧୀନରେ ରହିବେ ୧୫ଜଣ ଲେଖାଏଁ ଅସ୍ଥାୟୀ କର୍ମଚାରୀ । ଏନେଇ ବନବିଭାଗ ସମସ୍ତ କର୍ମଚାରୀଙ୍କୁ ଆଲର୍ଟ କରାଇଲେ ଡିଏଫଓ | ଏପରିକି ଜଙ୍ଗଲରେ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଠିକଣା ଲେଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି | ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସୂଚନା ଦେଲେ ୫ ହଜାର ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି ଡିଏଫଓ |

ସୂଚନାଯୋଗ୍ୟ ଯେ, ଶିମିଳିପାଳ ଅଭୟାରଣ୍ୟରେ ଏ ପର୍ଯ୍ୟନ୍ତ ନିଆଁ ଲିଭିନାହିଁ | ଉତ୍ତର ଶିମିଳିପାଳର ୧୮ଟି ସ୍ଥାନରେ ଲାଗିଛି ନିଆଁ | ଗୋଟିଏ ସ୍ଥାନରେ ନିଆଁ ଲିଭାଇଲା ବେଳକୁ ତାହା ଅନ୍ୟତ୍ର ବ୍ୟାପି ଯାଉଛି | ନିଆଁ ଲିଭାଇବା କାର୍ଯ୍ୟରେ ୬ଟି ଅଗ୍ନିଶମ ବିଭାଗ ନିୟୋଜିତ ଥିବା ବେଳେ ୧୧ ଶହରୁ ଅଧିକ ବନ ସୁରକ୍ଷା କର୍ମୀ ଏବଂ କର୍ମଚାରୀ ନିୟୋଜିତ ଅଛନ୍ତି |