ବାହାଘର ଦିନ ଘଟିଲା କିଛି ଏମିତି , ବରଯାତ୍ରୀ ଧରି ଥାନା ଗଲେ ୬ ବର

ଭୁବନେଶ୍ୱର : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଗୋଟିଏ ଝିଅକୁ ବିବାହ କରିବା ପାଇଁ, ୬ ବର ଏକ ବିବାହ ଶୋଭାଯାତ୍ରା ସହିତ ଗୋଟିଏ ଘରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ପହଁଚିଲା ପରେ କିଛି ଏମିତି ଘଟଣା ଘଟିଲା ଯେ , ଶେଷରେ ବରଯାତ୍ରୀ ଧରି ସମସ୍ତେ ପହଂଚିଥିଲେ ପୋଲିସ ଷ୍ଟେସନରେ ।

ବର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, ‘ଆମେ ଶଗୁନ୍ ଜନ କଲ୍ୟାଣ ସେବା ସମିତିର ଏକ ଠିକଣା ପାଇଥିଲୁ, ଯେଉଁଥିରେ ଗରୀବ ଝିଅ ମାନଙ୍କୁ ବିବାହ କରିବା ପାଇଁ ବର ଖୋଜା ଚାଲିଥିଲା । ଯେତେବେଳେ ଆମେ ଭୋପାଳରେ ସଂଗଠନର କାର୍ଯ୍ୟାଳୟ ସହିତ ଯୋଗାଯୋଗ କଲୁ, ସେମାନେ ଝିଅକୁ ଦେଖିବା ପାଇଁ ଡାକିଲେ ଏବଂ ବିବାହ ନିଶ୍ଚିତ ହେବାପରେ ସେମାନେ ସମସ୍ତଙ୍କ ଠାରୁ୨୦-୨୦ ହଜାର ଟଙ୍କା ନେଇଥିଲେ ।

ଏହା ପରେ ବରର ସମସ୍ତ ପରିବାର ସଦସ୍ୟଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ବିବାହ ତାରିଖ ସ୍ଥିର କରି ଶୁଭ ସମୟ କହିଥିଲେ। ମାର୍ଚ୍ଚ ୨୫ ତାରିଖରେ ବିଭିନ୍ନ ଜିଲ୍ଲାର ୬ ଜଣ ବର ଶୋଭାଯାତ୍ରା ସହିତ ଠିକଣା ସ୍ଥାନରେ ପହଞ୍ଚିଲେ, ହେଲେ ସେଠାରେ କେହି ନଥିଲେ ।

ବିବାହ ଘର ତାଲା ପଡିଥିବାର ଦେଖି ସମସ୍ତ ପୁଅ ଆଶ୍ଚର୍ଯ୍ୟ ହଇଯାଇଥିଲେ । ଏହା ପରେ ବର ଏବଂ ତାଙ୍କ ପରିବାର ଅଭିଯୋଗ କରିବାକୁ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ବରର ଅଭିଯୋଗ ଉପରେ କମିଟି ବିରୋଧରେ ଠକେଇ ମାମଲା ରୁଜୁ କରିଛି ତଦନ୍ତ ଆରମ୍ଭ କରିଛି ପୋଲିସ।