କିଭଳି ରହିଛି ବାତ୍ୟା ପୂର୍ବର ପ୍ରସ୍ତୁତି, କଣ ଦେଲେ ପରାମର୍ଶ : ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର : ବାତ୍ୟା ‘ୟାସ୍’ କୁ ନେଇ ପ୍ରତି କିଛି ଘଂଟାର ବ୍ୟବଧାନରେ ତାଜା ଅପଡେଟ୍ ଦେଉଛନ୍ତି ଏସଆରସି ପ୍ରଦୀପ ଜେନା | ଆଗାମୀ ୨୬ ତାରିଖରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ଝଡ ‘ୟାସ୍’ | ତେବେ ବାତ୍ୟା ଆସିବା ପୂର୍ବରୁ କିଭଳି ପ୍ରସ୍ତୁତ ରହିଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର |

ଏସଆରସି କହିଛନ୍ତି କି, ”ଓଡ଼ିଶାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନାକୁ ଦେଖି ଆମେ ସବୁ ପ୍ରସ୍ତୁତି କରୁଛୁ | ୨୨ଟି ଏନଡ଼ିଆରଏଫ ଟିମ, ୫୦ରୁ ଉର୍ଦ୍ଦ୍ୱ ଓଡ୍ରାଫ ଟିମ, ୧୭୫ ଫାୟାର ଟିମ ମୁତୟନ ଅଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ଅତିରିକ୍ତ ୩୦ଟି ଏନଡ଼ିଆରଫ ଟିମ ଆସି ପହଞ୍ଚିବେ | ସର୍ବମୋଟ ୫୨ ଏନଡ଼ିଆରଫ ଟିମ, ୫୦ ରୁ ୬୦ ଓଡ୍ରାଫ ଓ ୨୦୦ଟି ଫାୟାର ଟିମ ମୁତୟନ କରିବା ପାଇଁ ଆମେ ଯୋଜନା କରୁଛୁ | ୩୫ଟି ଟ୍ରି’ କଟର ଟିମ ନିୟୋଜିତ ହୋଇଛନ୍ତି | ପୂର୍ତ୍ତ ବିଭାଗ ପକ୍ଷରୁ ୧୬୫ଟି ସ୍ପେଶାଲାଇଜିଡ଼ ଇଂଜିନିୟରିଂ ଟିମ ଗଠନ କରାଯାଇଛି |”

ଏସଆରସି ଜନସାଧାରଣଙ୍କୁ ପରାମର୍ଶ ଦେଇ କହିଛନ୍ତି କି, ଏ ବାତ୍ୟା ସମୟରେ ସାଇକେଲ ବା ବାଇକ୍‌ ଚଢ଼ି ବୁଲନ୍ତୁ ନାହିଁ | ଗୁଜବକୁ ବିଶ୍ୱାସ ନକରି ଟିଭି ଓ ରେଡିଓରୁ ବାତ୍ୟାର ସୂଚନା ଜାଣିବାକୁ ଅନୁରୋଧ | ଷ୍ଟ୍ରିଟ୍‌ ଲାଇଟ୍‌ ଓ ବିଜ୍ଞାପନ ହୋର୍ଡିଂକୁ ଖୋଲି ଦିଅନ୍ତୁ ବା ଚିରିଦିଅନ୍ତୁ |

ସେହିପରି ପ୍ରଭାବିତ ଜିଲ୍ଲାର ଲୋକଙ୍କୁ ସତର୍କ କଲେ ସ୍ୱତନ୍ତ୍ର ରିଲିଫ କମିଶନର | ତଳିଆ ଅଞ୍ଚଳ ଲୋକେ କାଲି ଦିନ ୩ଟା ସୁଦ୍ଧା ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେବା ସହ ବାତ୍ୟା ଆଶ୍ରୟ ସ୍ଥଳୀରେ କୋଭିଡ ନିୟମ ମାନିବା ଓ ସଂପୂର୍ଣ୍ଣ ବାତ୍ୟା ନ ସରିବା ଯାଏ ପଦାକୁ ନ ବାହାରିବାକୁ ପରାମର୍ଶ ଦେଲେ ଏସଆରସି ପ୍ରଦୀପ ଜେନା |