ଷ୍ଟାର ଦମ୍ପତ୍ତିଙ୍କ ନୂତନ ପ୍ରୟାସ , କରୋନା ବିରୋଧରେ ଲଢେଇ ପାଇଁ ପାଣ୍ଠି ସଂଗ୍ରହ ୭ କୋଟି

ମୁମ୍ବାଇ : କୋଭିଡ ବିରୋଧରେ ସଂଗ୍ରାମ ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା ଏକ ନୂତନ ପ୍ରୟାସ କରିଛନ୍ତି | ଭାରତର ଜନସାଧାରଣଙ୍କୁ ଏ ମହାମାରୀରୁ ରକ୍ଷା ନିମିତ୍ତ କିଛି ପାଣ୍ଠି ସଂଗ୍ରହ ଲକ୍ଷ୍ୟରେ ଏକ ଅନଲାଇନ୍ ଅଭିଯାନ ଆରମ୍ଭ କରିଛନ୍ତି | ଗତ କିଛି ସପ୍ତାହରୁ ଭାରତ କରୋନା ସଂକ୍ରମଣର ଏକ ଭୟଙ୍କର ଲହର ଦେଇ ଗତି କରୁଛି |

ଶୁକ୍ରବାର ଦିନ ପୁଣି ଥରେ ଭାରତ ୪ ଲକ୍ଷ ୧୪ ହଜାର ନୂତନ ମାମଲା ରେକର୍ଡ କରିଛି | ଗତ ବର୍ଷ ମହାମାରୀ ଆରମ୍ଭ ହେବା ପରଠାରୁ ଗୋଟିଏ ଦିନରେ ଏହା ଦେଶର ସର୍ବୋଚ୍ଚ ବୋଲି ସୂଚନା ମିଳିଛି |

କୋହଲି ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି, “ଅନୁଷ୍କା ଏବଂ ମୁଁ କଟ୍ଟୋରେ ଏକ ଅଭିଯାନ ଆରମ୍ଭ କରିଛୁ | କୋଭିଡ -୧୯ ରିଲିଫ ପାଇଁ ପାଣ୍ଠି ସଂଗ୍ରହ କରୁଛୁ ଏବଂ ଆପଣଙ୍କ ସମର୍ଥନ ପାଇଁ ଆମେ କୃତଜ୍ଞ | ଆସନ୍ତୁ ସମସ୍ତେ ଏକାଠି ହୋଇ ଆମ ଆଖପାଖରେ ଥିବା ଲୋକଙ୍କୁ ସାହାଯ୍ୟ କରିବା | ଆପଣମାନଙ୍କର ସମର୍ଥନର ଆବଶ୍ୟକତା ରହିଛି | ମୁଁ ଆପଣଙ୍କୁ… ସମସ୍ତଙ୍କୁ ଆମ ଆନ୍ଦୋଳନରେ ଯୋଗଦେବାକୁ ଅନୁରୋଧ କରୁଛି | ଲିଙ୍କ୍ କରନ୍ତୁ-”#InThisTogether.” |

ଏତଦ ବତ୍ତୀତ ଏହି ଦମ୍ପତି ଏକ ପାଣ୍ଠି ସଂଗ୍ରହ ପ୍ରକଳ୍ପ ପାଇଁ ୨ କୋଟି ଟଙ୍କା ଦାନ କରିଛନ୍ତି, ଯାହାକି କରୋନା ମହାମାରୀ ବିରୋଧରେ ଦେଶର ସଂଗ୍ରାମକୁ ସମର୍ଥନ କରିବା ପାଇଁ ମୋଟ ୭ କୋଟି ଟଙ୍କା ସଂଗ୍ରହ କରିବ |

ସୂଚନା ଥାଉ କି, ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ୱାମୀ ନିକ ଜନ ମଧ୍ୟ ଏଭଳି ପାଣ୍ଠି ସଂଗ୍ରହ ପାଇଁ ଏକ ଭାବପ୍ରବଣତାର ଭିଡିଓ ସେୟାର ମାଧ୍ୟମରେ ଅଭିଯାନ ଚଳାଇଥିଲେ | ମେ’ ୩ ରେ ଏହି ଦମ୍ପତ୍ତି ୪.୯ କୋଟି ପାଣ୍ଠି ସଂଗ୍ରହ କରି ଭାରତକୁ ସହଯୋଗର ହାତ ବଢାଇଥିଲେ |