ଭୁବନେଶ୍ୱର: ‘ତାରକ ମେହେତା କା ଓଲ୍ଟା ଚଷମା’ର ଭେଟେରାନ୍ ଅଭିନେତା ନଟୁ କାକା ତଥା ଘନଶ୍ୟାମ୍ ନାୟକ ଆଉ ଏହି ଦୁନିଆରେ ନାହାଁନ୍ତି। ଘନଶ୍ୟାମ ନାୟକ ଗତ କିଛି ମାସ ଧରି କର୍କଟ ରୋଗ ସହ ସଂଗ୍ରାମ କରୁଥିଲେ। ରବିବାର ଦିନ ଅଭିନେତା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କିଛି ମାସ ପୂର୍ବରୁ ତାଙ୍କର ଦୁଇଟି ଅପରେସନ୍ ମଧ୍ୟ ହୋଇଥିଲା । ୭୭ ବର୍ଷ ବୟସରେ ସେ ଦୁନିଆକୁ ସବୁ ଦିନ ପାଇଁ ପର କରିଦେଇ ଅଫେରା ରାଇଜକୁ ଚାଲିଯାଇଛନ୍ତି । ଆଜି ଅଭିନେତାଙ୍କର ଶେଷ ରୀତିନୀତି କରାଯାଇଥିଲା । ଯାହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ତାଙ୍କର ଏହି ଶେଷ ଯାତ୍ରାରେ ”ତାରକ ମେହେତା କା ଓଲ୍ଟା ଚଷମା’ର ଅନେକ ସଦସ୍ୟ ମଧ୍ୟ ଯୋଗ ଦେଇଥିଲେ।
ଶୋ’ର କାଷ୍ଟ ନଟୁ କାକାଙ୍କୁ ଅନେକ କଳାକାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଯଦିଓ ଏହି ଶୋ’ରୁ ଘନଶ୍ୟାମ ନାୟକ ସର୍ବାଧିକ ଲୋକପ୍ରିୟତା ପାଇଥିଲେ, କିନ୍ତୁ ତାଙ୍କୁ ସଲମାନ ଖାନଙ୍କ ଫିଲ୍ମ ‘ଦିଲ ଦେ ଚୁକେ ସନମ’ରେ ମଧ୍ୟ ଦେଖିବାକୁ ମିଳିଥିଲା।
ଜେଠାଲାଲ ଅର୍ଥାତ୍ ଦିଲୀପ ଯୋଶୀ ମଧ୍ୟ ଘନଶ୍ୟାମ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ସହ ତନମୟ ୱାକରିଆ , ଗୋଗି ଏବଂ ତପୁ, ବବିତା ଜୀ ଅର୍ଥାତ୍ ମୁମୁନ୍ ଦତ୍ତା ମଧ୍ୟ ନଟୁ କାକାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।