ମୁମ୍ବାଇ : ଅଗଷ୍ଟ ୧୩ ରେ ରିଲିଜ ହେବାକୁ ଯାଉଛି ଆକ୍ସନ ଷ୍ଟାର ଜନ୍ ଆବ୍ରହମ ଅଭିନୀତ ଚଳଚ୍ଚିତ୍ର ‘ଆଟାକ୍’ | ରିଲିଜ ତାରିଖ ଘୋଷଣା ପରେ ଫ୍ୟାନ୍ସମାନଙ୍କ ମନରେ ଉତ୍ସାହ କାହିଁରେ କଣ | ଏବେ ସୋସିଆଲ ମିଡିଆରେ ଚଳଚ୍ଚିତ୍ର ‘ଆଟାକ୍’ କୁ ନେଇ ବିଭିନ୍ନ ବର୍ଗର ଲୋକେ କମେନ୍ଟ ଦେବାକୁ ଆରମ୍ଭ କଲେଣି | ସତ୍ୟ ଘଟଣା କାହାଣୀ ଉପରେ ଆଧାରିତ ‘ଆଟାକ୍’ ଫିଲ୍ମରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ରାକୁଲ ପ୍ରୀତ ସିଂ ମଧ୍ୟ ନଜର ଆସିବେ |
ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଲେଖକ ଓ ନିର୍ଦ୍ଦେଶକର ଭୂମିକା ନିର୍ବାହ କରିବେ ଲକ୍ଷରାଜ ଆନନ୍ଦ | ଆବ୍ରହମ, ଏକ ରେଞ୍ଜର ଚରିତ୍ରରେ ଅଭିନୟ କରିଛନ୍ତି , ଯିଏକି କାଉଣ୍ଟର ଅପରେସନ୍ ସମୟରେ ଏକ ବଡ ଆକ୍ରମଣରୁ ନିଜ ଦଳର ନେତୃତ୍ୱ ନେଇ ସଫଳ ହୋଇଛନ୍ତି | ”ଏ ଫିଲ୍ମରୁ ଦର୍ଶକମାନେ ଭଲ କନସେପ୍ଟ ସହ ଭରପୁର ମନୋରଞ୍ଜନର ଫୁଲ ପ୍ୟାକେଜ ପାଇପାରିବେ ” ବୋଲି ଆବ୍ରହମ କହିଛନ୍ତି | ‘ଆଟାକ୍’ ଚଳଚ୍ଚିତ୍ରଟି ଆବ୍ରହମଙ୍କ ପ୍ରଡକ୍ସନ ସଂସ୍ଥା ସହ ମିଳିତ ସହଯୋଗରେ ନିର୍ମାଣ କରାଯାଇଛି |
ଅଗଷ୍ଟ ୨୦୨୦ରେ ‘ଆଟାକ୍’ ରିଲିଜ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା କିନ୍ତୁ ଦେଶ ବ୍ୟାପୀ କରୋନା ଭାଇରସ କାରଣରୁ ଏହାର ରିଲିଜ ତାରିଖକୁ ଘୁଂଚାଇ ଦିଆଯାଇଥିଲା | ଦର୍ଶକମାନଙ୍କ ପାଇଁ ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିବ ଆଉ ଏହି ଦେଶାତ୍ମବୋଧ ଚଳଚ୍ଚିତ୍ରକୁ ସମସ୍ତ ପରିବାରବର୍ଗ ପ୍ରେକ୍ଷାଳୟରେ ବସି ଦେଖିବାର ମଜା ନେଇପାରିବେ | ଗତ କାଲି ଏହାର ରିଳିଜ ତାରିଖ ପକ୍କା ହେବା ପରେ ଦର୍ଶକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି | ସୋସିଆଲ ମିଡିଆରେ ମଧ୍ୟ ଖୁବ ଚର୍ଚ୍ଚାରେ ଅଛି ‘ଆଟାକ୍’ |
ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ ‘ କାଫି ହିଟ ସାବ୍ୟସ୍ତ ହେବା ପରେ ଏ ଫିଲ୍ମ ନିଶ୍ଚୟ ତାଠୁ ଭଲ ବ୍ୟବସାୟ କରିବ ବୋଲି ଅନେକ ମତ ଦିଅନ୍ତି |