୨୯୧ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା ତୃଣମୂଳ କଂଗ୍ରେସ

କୋଲକାତା : ପଶ୍ଚିମବଙ୍ଗର ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ ମମତା | ୨୯୧ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା ତୃଣମୂଳ କଂଗ୍ରେସ |

୫ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ଯେଉଁ ଉସ୍ମତା ଦେଖାଦେଇଛି ତାମଧ୍ୟରେ ସମସ୍ତଙ୍କ ନଜର ରହିଛି ପଶ୍ଚିମବଙ୍ଗ ରାଜ୍ୟ ଉପରେ | ଏଥର ପଶ୍ଚିମବଙ୍ଗରେ ହେବ ଜୋରଦାର ଲଢେଇ | ଟିଏମସି ଛାଡି ବିଜେପିରେ ଯୋଗଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ଗଡରୁ ଲଢିବେ ମମତା | ଗୋଟିଏ ଗଡରେ ହେବ ମୁହାଁ-ମୁହିଁ ଲଢେଇ ଅର୍ଥାତ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | ଆସନ୍ତା ୧୦ ତାରିଖରେ ଏହି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିବା ସହ ୨୯୧ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି ତୃଣମୂଳ କଂଗ୍ରେସ |

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ତାର ୨୯୧ ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ସହ ୧୦୦ ଟି ଆସନରେ ନୂଆ ଚେହେରା ଦେଇଥିବା ଜଣାପଡିଛି | ସେମାନଙ୍କ ମଧ୍ୟରେ ୫୦ ଜଣ ମହିଳା ଓ ୪୨ ଜଣ ମୁସଲିମ ସଂପ୍ରଦାୟର ଲୋକଙ୍କୁ ପ୍ରାର୍ଥୀ କରିଛି ତୃଣମୂଳ କଂଗ୍ରେସ | ଉତ୍ତର ବଙ୍ଗଳାର ୩ ଆସନକୁ ବାଦ ଦେଇ ଅବଶିଷ୍ଟ ୨୯୧ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି | ଉତ୍ତର ବଙ୍ଗଳାର ୩ ଆସନରେ ଟିଏମସି ପ୍ରତିଦ୍ୱନ୍ଦିତା କରିବ ନାହିଁ ବୋଲି ତୃଣମୂଳ କଂଗ୍ରେସ ସୂଚନା ପ୍ରଦାନ କରିଛି |