ଭୁବନେଶ୍ୱର: ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ଏକ ନିଷ୍ପତ୍ତି ନେଇଛି ଯାହା ଟେଲିକମ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖୁସିର ଖବର । ଟେଲିକମ୍ ଶୁଳ୍କ ସମ୍ପର୍କରେ TRAI ନିକଟରେ କହିଛି ଯେ ଟେଲିକମ୍ କମ୍ପାନୀଗୁଡିକୁ ବର୍ତ୍ତମାନ ଏପରି ରିଚାର୍ଜ ଯୋଜନା ପ୍ରଦାନ କରିବାକୁ ପଡିବ ଯାହାର ବୈଧତା ୨୮ ଦିନ ନୁହେଁ ୩୦ ଦିନ। ଏହା ସହ ୩୦ ଦିନର ବୈଧତା ସହିତ ଯୋଜନାଗୁଡିକ ପାଇଁ ବିଜ୍ଞପ୍ତି ଜାରି କରିବାକୁ ପଡିବ ଏବଂ ତାହା ମଧ୍ୟ ୬୦ ଦିନ ମଧ୍ୟରେ।
TRAI କହିଛି ଯେ କମ୍ପାନୀଗୁଡିକ ସେମାନଙ୍କ ପୋର୍ଟଫୋଲିଓରେ ଅତି କମରେ ଏହିପରି ଏକ ଯୋଜନା ରଖିବା ଆବଶ୍ୟକ ଯାହାକି ୨୮ ବଦଳରେ ୩୦ ଦିନର ବୈଧତା ହେଉଥିବ।
ଦୀର୍ଘ ସମୟ ଧରି, ଉପଭୋକ୍ତାମାନେ ଟେଲିକମ୍ କମ୍ପାନୀଗୁଡିକ ୩୦ ଦିନ ବଦଳରେ ୨୮ ଦିନର ବୈଧତା ପ୍ରଦାନ କରୁଥିବା ନେଇ ଅଭିଯୋଗ କରିଆସୁଥିଲେ । ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ, ଟେଲିକମ୍ କମ୍ପାନୀଗୁଡିକ ପ୍ରତି ମାସରେ ୨ ଦିନ କାଟି ଏକ ବର୍ଷରେ ପ୍ରାୟ ୨୮ ରୁ ୨୯ ଦିନ ସଞ୍ଚୟ କରନ୍ତି । ଏଭଳି ପରିସ୍ଥିତିରେ ଟେଲିକମ୍ କମ୍ପାନୀଗୁଡିକ ୧୨ ବଦଳରେ ପ୍ରତିବର୍ଷ ୧୩ ଟି ରିଚାର୍ଜ କରିଥାନ୍ତି। ସେହି ସମୟରେ, ଯଦି କେହି ତିନିମାସ ପାଇଁ ରିଚାର୍ଜ କରନ୍ତି, ତେବେ ୯୦ ଦିନର ବୈଧତା ପାଇବା ପରିବର୍ତ୍ତେ ସେ କେବଳ ୮୪ ଦିନର ବୈଧତା ପାଆନ୍ତି । ଯାହାକୁ ଦୃଷ୍ଟିରେ ରଖି ଟେଲିକମ୍ କମ୍ପାନୀଗୁଡିକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି TRAI ।