ଭୁବନେଶ୍ୱର : ଥରେ କି ଦୁଇଥର ନୁହେଁ ଜଣେ ବ୍ୟକ୍ତି ୭୮ ଥର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅବିଶ୍ୱାସ ଲାଗୁଥିଲେ ମଧ୍ୟ କଥାଟି ସତ । ୨୦୨୦ ମସିହା ନଭେମ୍ବର ମାସରେ ସେ ପ୍ରଥମ ଥର ପାଇଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତା ପରେ ସେ ବ୍ୟକ୍ତିଙ୍କର ଯେତେଥର କରୋନା ଟେଷ୍ଟ କରାଯାଇଛି ସେତେଥର ତାଙ୍କର ରିପୋର୍ଟ ପଜିଟିଭ୍ ହିଁ ବାହାରିଛି ।
ଜାତୀୟ ଗଣମାଧ୍ୟମ ନ୍ୟୁଜ 18 ରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ, ଏହି ବ୍ୟକ୍ତି ଜଣକ ହେଉଛନ୍ତି ତୁର୍କୀର ମୁଜାଫର କାୟାସାନ୍ (Muzaffer Kayasan ) । ସେ ଗତ ଏକ ବର୍ଷ ଧରି ହସ୍ପିଟାଲରେ ଅଛନ୍ତି । ୨୦୨୦ ମସିହା ନଭେମ୍ବର ମାସରେ ସେ ପ୍ରଥମ ଥର ପାଇଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହି ଦିନଠାରୁ ମୁଜାଫରଙ୍କ ୭୮ ଥର କରୋନା ପରୀକ୍ଷା କରାଯାଇଛି, କିନ୍ତୁ ପ୍ରତ୍ୟେକ ଥର ତାଙ୍କ ରିପୋର୍ଟ ପଜିଟିଭ୍ ବାହାରେ ।
ବାସ୍ତବରେ, ୫୬ ବର୍ଷିୟ ମୁଜାଫର ରକ୍ତ କର୍କଟ ରୋଗରେ ପୀଡିତ, ଏହି ରୋଗ ହେତୁ ରକ୍ତରୁ ଧଳା ରକ୍ତ କଣିକା କମିଯାଏ ଏବଂ ରୋଗୀର ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଯାଏ । ଡାକ୍ତରମାନେ କହିଛନ୍ତି ଯେ ଏହି କାରଣରୁ ମୁଜାଫରଙ୍କ ରକ୍ତରୁ କରୋନା ଭାଇରସ ବିଲୋପ ହେଉନାହିଁ। ରୋଗ ପ୍ରତିରୋଧକ ଶକ୍ତି ବଢେଇବା ପାଇଁ ତାଙ୍କୁ ଔଷଧ ଦିଆଯାଉଛି, କିନ୍ତୁ ଏହି ପ୍ରକ୍ରିୟା ବହୁତ ଲମ୍ବା ଅଟେ । ମୁଜାଫରଙ୍କ ମାମଲା ହେଉଛି ପ୍ରଥମ, ଯେଉଁଥିରେ ରୋଗୀ ଏତେ ଦିନ ଧରି କରୋନା ପଜିଟିଭ୍ ରହିଆସିଛି ।