ପରଲୋକରେ ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମ, ସିରିଏଲ୍ ପ୍ରତିଜ୍ଞା ଦେଇଥିଲା ତାଙ୍କୁ ଏକ ଭିନ୍ନ ପରିଚୟ

ଭୁବନେଶ୍ୱର: ଚଳଚ୍ଚିତ୍ର ଏବଂ ଟିଭି ଜଗତରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଅଭିନେତା ଅନୁପମ ଶ୍ୟାମ ଓଝାଙ୍କର ରବିବାର ରାତିରେ ଦେହାନ୍ତ ହୋଇଛି। ତାଙ୍କୁ ଏକ ସପ୍ତାହ ପୂର୍ବରୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଗୋରଗାଓଁ ଅଞ୍ଚଳର ଲାଇଫଲାଇନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ୬୩ ବର୍ଷୀୟ ଅନୁପମ ଶ୍ୟାମ ଦୀର୍ଘ ସମୟ ଧରି କିଡନୀ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଥିଲେ ।

ଗତ ବର୍ଷ ମାର୍ଚ୍ଚ ମାସରେ ଅନୁପମ ଶ୍ୟାମ କିଡନୀ ସଂକ୍ରମଣ ହେତୁ ଏହି ଲାଇଫଲାଇନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ସେଠାରେ କିଛି ଦିନ ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। ‘ଅନୁପମ ଶ୍ୟାମ ଗତ ୯ ମାସ ଧରି ଡାୟଲିସିସରେ ଥିଲେ , କିନ୍ତୁ ଆର୍ଥିକ ପ୍ରତିବନ୍ଧକ ହେତୁ ତାଙ୍କୁ ଚିକିତ୍ସା ୬ ମାସ ପୂର୍ବରୁ ବନ୍ଦ କରିବାକୁ ପଡିଥିଲା। ଅନୁପମ ଶ୍ୟାମଙ୍କ ସହ ଜଡିତ କିଛି କଳାକାର ତାଙ୍କ ଚିକିତ୍ସା ପାଇଁ କିଛି ସହାୟତା ପ୍ରଦାନ କରିଥିଲେ।

ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଜନ୍ମଗ୍ରହଣ କରି ନାଟକ ଜଗତରୁ ଅଭିନୟ ଯାତ୍ରା ଆରମ୍ଭ କରିଥିବା ଅନୁପମ ଶ୍ୟାମ ୨୦୦୯ ରେ ଷ୍ଟାର ପ୍ଲସର ଲୋକପ୍ରିୟ ସିରିଏଲ ‘ମନ କି ଆୱାଜ ପ୍ରତିଜ୍ଞା’ରେ ଠାକୁର ସଜ୍ଜନ ସିଂହଙ୍କ ନକାରାତ୍ମକ ଭୂମିକାରେ ଅଭିନୟ କରି ବହୁ ଲୋକପ୍ରିୟତା ହାସଲ କରିଥିଲେ। ସମ୍ପ୍ରତି ଏହି ସିରିଏଲର ଦ୍ୱିତୀୟ ସିଜିନର ପ୍ରସାରଣ ମଧ୍ୟ ଆରମ୍ଭ ହୋଇଥିଲା ଯେଉଁଥିରେ ଅନୁପମ ଶ୍ୟାମ ଠାକୁର ପୁଣି ଥରେ ସଜନ ସିଂହ ଭୂମିକାରେ ଅଭିନୟ କରିଥିଲେ। ଏହା ପର ସେ ୧୦ ରୁ ଅଧିକ ସିରିଏଲରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ।