ଭୁବନେଶ୍ୱର: ମଝି ଆକାଶରେ ଶୋଇପଡିଲେ ଦୁଇ ପାଇଲଟ । ସୁଡାନର ଖାରତୁମରୁ ଅଦ୍ଦୀସ ଅବାବା (Addis Ababa) ଯାଉଥିବା ଇଥିୟୋପିୟାନ ଏୟାରଲାଇନ୍ସର ଦୁଇ ପାଇଲଟ ଶୋଇପଡିବା ଫଳରେ, ବିମାନର ଅବତରଣ କରିବାକୁ ଭୁଲିଯାଇଥିଲେ । ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଥିଲା ଇଥିୟୋପିଆରେ ।
ଆଭିଏସନ ହେରାଲ୍ଡ ଅନୁଯାୟୀ ET343 ବିମାନ ବନ୍ଦର ନିକଟରେ ପହଞ୍ଚିବା ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ଏକ ସତର୍କ ସୂଚନା ଜାରି କରିଥିଲା, କିନ୍ତୁ ବିମାନଟି ଅବତରଣ କରିନଥିଲା।
ରିପୋର୍ଟରେ ଆହୁରି କୁହାଯାଇଛି ଯେ ପାଇଲଟମାନେ ଶୋଇଥିବାବେଳେ ବୋଇଙ୍ଗ ୭୩୭ ର ଅଟୋପିଲଟ ସିଷ୍ଟମ ବିମାନକୁ ୩୭,୦୦୦ ଫୁଟରେ ଉଡ଼ାଇ ରଖିଥିଲା । ଫଳରେ ଉକ୍ତ ପଥ ଦେଇ ଯାତ୍ରା କରିବାକୁ ଥିବା ଅନ୍ୟ ବିମାନ ପ୍ରାୟ ୨.୫ ଘଣ୍ଟା ବିମାନବନ୍ଦରରେ ଅଟକି ରହିଥିଲା।
ଆଭିଏସନ ହେରାଲ୍ଡ ରିପୋର୍ଟରେ ଆହୁରି କୁହାଯାଇଛି ଯେ ଏଟିସି ପାଇଲଟଙ୍କ ସହ ଅନେକ ଥର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ସଫଳତା ପାଇନଥିଲା। ପରେ ଆଲାର୍ମ ବାଜିବା ପରେ ବିମାନର ଉଭୟ ପାଇଲଟ ନିଦରୁ ଉଠିଥିଲେ। ୨୫ ମିନିଟ୍ ପରେ ବିମାନ ଟି ସୁରକ୍ଷିତ ଭାବେ ରନୱେରେ ଅବତରଣ କରିଥିଲା।