ସଂକ୍ରମଣ କମିବାରୁ ଏହି ରାଜ୍ୟରୁ ହଟିଲା ଲକଡାଉନ୍, ସନ୍ଧ୍ୟା ୫ ଟା ଯାଏଁ ଖୋଲା ରହିବ ଦୋକାନ

ଭୁବନେଶ୍ୱର: ଉତ୍ତରପ୍ରଦେଶ ରାଜ୍ୟର ସମସ୍ତ ୭୫ ଟି ଜିଲ୍ଲାରୁ ଲକଡାଉନ୍ କୁ ହଟାଇ ଦିଆଯାଇଛି । ବୁଧବାର ଠାରୁ ସମଗ୍ର ରାଜ୍ୟରେ କେବଳ ନାଇଟ କର୍ଫ୍ୟୁ ଲାଗୁ ହେବ ବୋଲି ଘୋଷଣା କରାଯାଇଛି ।

ବଳବତ୍ତର ରହିବ ନାଇଟ କର୍ଫ୍ୟୁ 
ଜୁନ୍ ୯ ତାରିଖରୁ ରାଜ୍ୟର ସମସ୍ତ ୭୫ ଟି ଜିଲ୍ଲାରେ କେବଳ ସନ୍ଧ୍ୟା ୭ ରୁ ସକାଳ ୭ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ । ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ନବନୀତ୍ ସେହଗଲ । ରାଜ୍ୟର ସମସ୍ତ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି ଏବଂ ବର୍ତ୍ତମାନ ରାଜ୍ୟରେ ମୋଟ ୧୪ ହଜାର ଲୋକ ଚିକିତ୍ସିତ ହେଉଛନ୍ତି।

ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ୧୪ ହଜାରରୁ କମ୍ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି ଏବଂ ସମସ୍ତ ୭୫ ଟି ଜିଲ୍ଲାରେ ୬୦୦ ରୁ କମ୍ ମାମଲା ରହିଛି । ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୭୯୭ ଟି ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ସେପଟେ ବିହାରରେ ମଧ୍ୟ ଲକଡାଉନ୍ କୁ ହଟାଇ ଦିଆଯାଇଛି । ଏନେଇ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଟ୍ୱିଟ କରିଛନ୍ତି । ଲକଡାଉନ୍ ଫଳରେ କରୋନା ସଂକ୍ରମଣ ହ୍ରାସ ପାଇଛି । ହେଲେ ସମ୍ପୂର୍ଣ୍ଣ ସଂକ୍ରମଣ କମିନଥିବାରୁ ସନ୍ଧ୍ୟା ୭ ଟାରୁ ସକାଳ ୫ ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି ରହିବ ।

୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଓ ଘରୋଇ ଅଫିସ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହି ସମୟରେ ଭିଡ ନକରିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନିତୀଶ କୁମାର ।