ଭୁବନେଶ୍ୱର: ଆପଣ ସରପଞ୍ଚ ପ୍ରାର୍ଥୀ ହେବାର ୫ ଗୋଟି ଉଦ୍ଦେଶ୍ୟ କ’ଣ ? ଯଦି ସରପଞ୍ଚ ଭାବେ ନିର୍ବାଚିତ ହେବେ, ତେବେ ଆଗାମୀ ୫ ବର୍ଷ ପାଇଁ ପଞ୍ଚାୟତରେ କ’ଣ ସବୁ ବିକାଶ ମୂଳକ କାର୍ଯ୍ୟ କରିବେ ? ଗ୍ରାମବାସୀଙ୍କ ଏହିଭଳି କିଛି ପ୍ରଶ୍ନର ଲିଖିତ ଉତ୍ତର ଦେଇଥିଲେ ନିର୍ବାଚନ ଲଢ଼ୁଥିବା ଆଶାୟୀ ସରପଞ୍ଚ ପ୍ରାର୍ଥୀ।
ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ଏହିଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ମାଲୁପଡ଼ା ଗ୍ରାମରେ । ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସମୁଦାୟ ୮ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଉତ୍ତୀର୍ଣ୍ଣ ହୋଇଥିବା ନେଇ ଘୋଷଣା କରିଛନ୍ତି ଗ୍ରାମବାସୀ ।
ପ୍ରଚାର ପାଇଁ ଆସିଥିବା ପ୍ରାର୍ଥୀମାନଙ୍କ ସହିତ ଭୋଟରମାନେ ଗାଁର ବିକାଶ ନେଇ ପ୍ରଥମେ ଆଲୋଚନା କରିଥିଲେ। ପରେ ପ୍ରାର୍ଥୀଙ୍କ ଉଦେଶ୍ୟ,ଲକ୍ଷ୍ୟ,ଆଭିମୁଖ୍ୟ ନେଇ ଗ୍ରାମବାସୀମାନେ ଏକ ଲିଖିତ ପରୀକ୍ଷାର କରିବା ପାଇଁ ମନସ୍ତ କରିଥିଲେ । ପ୍ରାର୍ଥୀମାନେ ମଧ୍ୟ ଗ୍ରାମବାସୀଙ୍କ ଏହିଭଳି ନିଷ୍ପତ୍ତି କୁ ସମ୍ମାନ ଜଣାଇ ପରୀକ୍ଷା ଦେଇଥିଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୩ ଜଣ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କାହାକୁ ଭୋଟ୍ ଦେବେ, ବ୍ୟକ୍ତିଗତ ସ୍ତରରେ ଭୋଟରମାନେ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।