ଭୁବନେଶ୍ୱର : ଖଣି ଲିଜ କରାଇ ନ ଦେବାରୁ ବ୍ୟବସାୟୀ ଜଣକୁ ଅପହରଣ କରିବା ଓ ମୁଣ୍ଡ ଜାମିନ ପାଇଁ ଟଙ୍କା ମାଗିବା ଅଭିଯୋଗରେ ବନ୍ଧା ହେଲେ ସାମ୍ବାଦିକା । ଜଣେ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ୧୦ ଲକ୍ଷ ଟଙ୍କା ମାଗିବା ଘଟଣାରେ ନନ୍ଦନକାନନ ପୋଲିସ ଏକ ୱେବ ପୋର୍ଟାଲର ସାମ୍ବାଦିକାଙ୍କ ସହ ୪ ଜଣକୁ ଗିରଫ କରିଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତ ୫ ତାରିଖରେ ବଡ଼ବିଲର ଜଣେ ବ୍ୟବସାୟୀଙ୍କୁ ଅପହରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ବ୍ୟବସାୟୀ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଭୁବନେଶ୍ୱର ଡାକି ଅପହରଣ କରିଥିଲେ । ଖଣି ଲିଜ କରାଇ ନ ଦେବାରୁ ତାଙ୍କୁ ମାଡ ମାରିବା ସହ ୧୦ ଲକ୍ଷ ଟଙ୍କା ମାଗିଥିଲେ । ରଘୁନାଥପୁର ଅଂଚଳରେ ଥିବା ଏକ ୱେବ ପୋର୍ଟାଲ କାର୍ଯ୍ୟଳରେ ସାମ୍ବାଦିକା ଓ ତାଙ୍କର ସହଯୋଗୀମାନେ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ । ୧୦ ଲକ୍ଷ ଦେଲେ ଦୁଇଜଣଙ୍କୁ ଛାଡ଼ିବେ ବୋଲି କହି ୨ ଦିନ ଅଟକ ରଖିଥିଲେ । ଏନେଇ ବ୍ୟବସାୟୀ ଜଣକ ତାଙ୍କର ଏକ ବନ୍ଧୁଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଅବଗତ କରାଇବା ସହ କିଛି ଟଙ୍କା ମଧ୍ୟ ମାଗିଥିଲେ । ତେବେ ବ୍ୟବସାୟୀଙ୍କ ବନ୍ଧୁ ଅପହରଣ କରିଥିବା ୱେବ ପୋର୍ଟାଲର ମାଲିକ ଓ ସାମ୍ବାଦିକାଙ୍କୁ କହିଥିଲେ ଯେ , ତାଙ୍କ ବ୍ୟବସାୟୀଙ୍କ ବନ୍ଧୁଙ୍କୁ ଛାଡ ନଚେତ ମୁଁ ପୋଲିସରେ ଖବର ଦେବି । ଏହା ଜାଣିବା ପରେ ସେମାନେ ଅପହରଣ କରିଥିବା ଦୁଇଜଣଙ୍କୁ ଛାଡିଦେଇଥିଲେ । ପରେ ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ନନ୍ଦନକାନନ ପୋଲିସ ସାମ୍ବାଦିକାଙ୍କ ସହ ୪ ଜଣକୁ ଥାନାରେ ଅଟକ ରଖିଥିବା ବେଳେ ୱେବ ପୋର୍ଟାଲର ମାଲିକ ରାଜ ଫେରାର ଥିବା ଜଣାପଡିଛି । ଏନେଇ ଥାନାରେ ଏକ ମାମଲା ରୁଜୁ କରି ପୋଲିସ ସାମ୍ବାଦିକାଙ୍କ ସହ ୪ ଜଣକୁ କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି ।