ଭୁବନେଶ୍ୱର: ଭାରତ ରତ୍ନ ଲତା ମଙ୍ଗେଶକର ୯୨ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି। ସେପ୍ଟେମ୍ବର ୨୮, ୧୯୨୯ ରେ ଇନ୍ଦୋରରେ ମଧ୍ୟବିତ୍ତ ମରାଠା ପରିବାରରେ ଜନ୍ମଗ୍ରହଣ କରିଥିବା ଲତା ଏକାକୀ ଜୀବନ ବିତାଉଥିଲେ। ପାଞ୍ଚ ଭାଇଭଉଣୀଙ୍କ ମଧ୍ୟରେ ଲତା ଥିଲେ ବଡ । ହେଲେ ସେ କାହିଁକି ବିବାହ କରିନଥିଲେ ? ସେନେଇ ଏକ ସାକ୍ଷାତକାରରେ ଲତା ମଙ୍ଗେଶକର କହିଥିଲେ ।
୩.୮.୨୦୧୧ ମସିହାରେ, ଲତା ତାଙ୍କ ଜନ୍ମଦିନରେ TOI କୁ ଏକ ସାକ୍ଷାତକାରରେ କହିଥିଲେ ଯେ ଭଗବାନଙ୍କ ଇଚ୍ଛା ଅନୁଯାୟୀ ସବୁକିଛି ଘଟେ। ଜୀବନରେ ଯାହା ବି ଘଟେ, ଏହା ଭଲ ପାଇଁ ହୋଇଥାଏ ।
ସେ ଘରେ ସମସ୍ତଙ୍କ ଠାରୁ ବଡ ଥିଲେ, ତେଣୁ ତାଙ୍କ ଉପରେ ଅନେକ ଗୁରୁ ଦାୟିତ୍ୱ ଥିଲା । ଏପରି ପରିସ୍ଥିତିରେ ବିବାହର ଚିନ୍ତା ଅନେକ ଥର ଆସିଲେ ମଧ୍ୟ ସେ ଏହାକୁ କାର୍ଯ୍ୟକାରୀ କରିପାରିଲେ ନାହିଁ ।
୧୯୪୨ ମସିହାରେ, ଯେତେବେଳେ ତାଙ୍କୁ ମାତ୍ର ୧୩ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା ।ଏଭଳି ପରିସ୍ଥିତିରେ ପରିବାରର ସମସ୍ତ ଦାୟିତ୍ୱ ତାଙ୍କ ଉପରକୁ ଆସିଥିଲା।
ତାଙ୍କୁ ଭାରତର ତିନୋଟି ସର୍ବୋଚ୍ଚ ନାଗରିକ ସମ୍ମାନ ସମେତ ତିନୋଟି ଜାତୀୟ ଏବଂ ଚାରିଟି ଫିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ମଧ୍ୟ କରାଯାଇଛି। ଲତା ମଙ୍ଗେଶକର ୩୦ ହଜାରରୁ ଅଧିକ ଗୀତ ଗାଇଛନ୍ତି।
ସେପଟେ ଲତା ମଙ୍ଗେଶକରଙ୍କ ସ୍ମୃତିରେ ବଡ଼ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଲତାଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ନାଁରେ ପୁରସ୍କାର ପ୍ରଦାନ କରାଯିବ। ଇନ୍ଦୋରରେ ତାଙ୍କ ନାମରେ ମ୍ୟୁଜିୟମ, ମ୍ୟୁଜିକ ବିଶ୍ୱବିଦ୍ୟାଳୟ, ଏକାଡେମି ସହିତ ତାଙ୍କର ଏକ ଷ୍ଟାଚ୍ୟୁ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।