ବାଲେଶ୍ୱର : ‘ବାପା’ ଶବ୍ଦରେ କଳଙ୍କ | ନିଜ ଜନ୍ମକଲା ଝିଅକୁ ଦୁର୍ବ୍ୟବହାର କରୁଥିଲା ମଦ୍ୟପ ବାପା | ସେ ଭୁଲିଗଲା ବାପା-ଝିଅର ପବିତ୍ର ସମ୍ପର୍କ | ଝିଅକୁ ଦୁର୍ବ୍ୟବହାର ସମୟରେ ସ୍ତ୍ରୀ ବି ଭୁଲିଗଲା ଦୁର୍ବ୍ୟବହାର କରୁଥିବା ଲୋକଟି ତାର ସ୍ୱାମୀ ବୋଲି | ଆଉ ଶେଷରେ ଆଖି ଆଗରେ ନିଜ ଝିଅକୁ ପାପୀ କବଳରୁ ବଂଚେଇବା ପାଇଁ ଚୁଲି ଫୁଙ୍କା ନଳୀରେ ପିଟି ପିଟି ମାରିଦେଲା ମଦୁଆ ସ୍ୱାମୀକୁ | ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ତେଣ୍ଡା ଗାଁରେ |
ମିଳିଥିବା ସୂଚନା ଆନୁଯାୟୀ, ତେଣ୍ଡା ଗାଁର ବୁଟୁ ସିଂ ଗତକାଲି ରାତିରେ ମଦ ପିଇ ନିଜ ନାବାଳିକା ଝିଅକୁ ଦୁର୍ବ୍ୟବହାର କରିବାକୁ ପ୍ରୟାସ କରିଥିଲା | ଏହି ସମୟରେ ବୁଟୁଙ୍କ ସ୍ତ୍ରୀ ଗୁରୁବାରୀ ତାଙ୍କୁ ବାଧା ଦେଇଥିଲେ | ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଖୁବ ଯୋରରେ ଝଗଡ଼ା ହୋଇଥିଲା | ଝଗଡ଼ା ବେଳେ ଗୁରୁବାରୀ ଉତ୍କ୍ଷିପ୍ତ ହୋଇ ବୁଟୁଙ୍କୁ ଏକ ଚୁଲି ଫୁଙ୍କା ନଳୀରେ ଆକ୍ରମଣ କରିଥିଲେ | ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ଘଟଣାସ୍ଥଳରେ ବୁଟୁଙ୍କ ମୃତ୍ୟୁ ଘଟିଥିଲା | ଆକ୍ରମଣ ପରେ ବୁଟୁଙ୍କୁ ଛାଡି ଗୁରୁବାରୀ ଅନ୍ୟତ୍ର ଲୁଚି ଯାଇଥିଲେ | ଖବର ପାଇ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତା ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି | ଶବ ଜବତ ପରେ ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ କରାଯିବ ବୋଲି କହିଛନ୍ତି ନୀଳଗିରି ଆଇଆଇସି ପ୍ରଭଞ୍ଜନ ବେହେରା |