ଭୁବନେଶ୍ୱର: ଜଣେ ମହିଳା ପୁରୁଷ ଭାବରେ ୩୬ ବର୍ଷ ରହିଲେ। ଏହି ୩୬ ବର୍ଷ ମଧ୍ୟରେ କେହି ମଧ୍ୟ ଜାଣିପାରିଲେ ନାହିଁ ଯେ ସେ ଜଣେ ମହିଳା ବୋଲି । ଏହି ମହିଳାଙ୍କ କାହାଣୀ ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଜଣେ ମା ନିଜ ସନ୍ତାନ ପାଇଁ କଣ କରିପାରେ ଏହି ମହିଳା ହେଉଛନ୍ତି ତାର ଏକ ଜ୍ୱଳନ୍ତ ଉଦାହରଣ। ତାମିଲନାଡୁ ଥୋଥୁକୁଡି ଜିଲ୍ଲାର ନିବାସୀ ପେଚିୟାମ୍ମଲ ଯିଏ ଥୋଥୁକୁଡି ଜିଲ୍ଲାର କଟୁନାୟକନ ପଟ୍ଟି ରେ ରୁହନ୍ତି ।
ପେଚିୟାମ୍ମଲ ୨୦ ବର୍ଷ ବୟସରେ ବିବାହ କରିଥିଲେ। ବିବାହର ମାତ୍ର ୧୫ ଦିନ ପରେ ହୃଦଘାତରେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଗଲା । ନଅ ମାସ ପରେ ପେଚିୟାମ୍ମଲ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।
ସ୍ୱାମୀଙ୍କ ମୃତ୍ୟୁ ପରେ ଝିଅକୁ ମଣିଷ କରିବାକୁ ଯାଇ ପେଚିୟାମ୍ମଲଙ୍କୁ ଘର ଘର ବୁଲି କାମ କରିବାକୁ ପଡୁଥିଲା, ଯେଉଁଥିପାଇଁ ସେ ବାହାରକୁ ଯାଉଥିଲେ। ପେଚିୟାମ୍ମଲ ଜଣେ ମହିଳା ହୋଇଥିବାରୁ ତାଙ୍କୁ ଲୋକମାନେ ହଇରାଣ କରୁଥିଲେ । ଫଳରେ ତାଙ୍କୁ ଅନେକ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା ।
ପରେ ପେଚିୟାମ୍ମଲ ସ୍ଥିର କଲେ ଯେ ଝିଅକୁ ମଣିଷ କରିବାକୁ ହେଲେ ସେ ଜଣେ ପୁରୁଷ ହୋଇ ଜୀବନ ଜାପନ କରିବେ । ଏହା ପରେ ସେ ନିଜ ନାମ ମୁଥୁରେ ବଦଳାଇଲେ । ସେ ମନ୍ଦିରକୁ ଯାଇ କେଶ କାଟିବା ସହ ପୁରୁଷଙ୍କ ପରି ସାର୍ଟ ଏବଂ ଲୁଙ୍ଗି ପିନ୍ଧିବା ଆରମ୍ଭ କଲେ। ଝିଅ ପାଇଁ ସେ ଚା ’ଦୋକାନ ଏବଂ ହୋଟେଲରେ ମଧ୍ୟ କାମ କରୁଥିଲେ ।
୫୭ ବର୍ଷୀୟ ପେଚିୟାମ୍ମଲ କହିଛନ୍ତି ଯେ ସେ ନିଜର ପରିଚୟ ବଦଳାଇଥିବାରୁ ଦୁଃଖିତ ନୁହଁନ୍ତି। ପରିବାର ସଦସ୍ୟ ଏବଂ ଗାଁର କିଛି ଲୋକ ଜାଣନ୍ତି ଯେ ମୁଥୁ ଜଣେ ମହିଳା ବୋଲି। ସେ ମରିବା ପର୍ଯ୍ୟନ୍ତ ମୁଥୁ ଭଳି ରହିବେ ବୋଲି କହିଛନ୍ତି ।