ମିଥ୍ୟା ସୂଚନା ହେଲା ୨୨ ଯବାନଙ୍କ ପାଇଁ କାଳ ? ଜଙ୍ଗଲରେ ନକ୍ସଲ ବିଛାଇଥିଲେ ଏମିତି ଜାଲ

ଭୁବନେଶ୍ୱର: ଚଳିତ ବର୍ଷର ସବୁଠାରୁ ବଡ ନକ୍ସଲ ଆକ୍ରମଣ ଛତିଶଗଡର ବିଜାପୁରରେ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୨ ଜଣ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଜଣେ ଯବାନ ଏବେ ବି ନିଖୋଜ ଅଛନ୍ତି। ଏହି ଆକ୍ରମଣରେ ସମୁଦାୟ ୩୨ ଜଣ ଯବାନ ଆହତ ହୋଇଛନ୍ତି । ସୂଚନାନୁସାରେ, ଏହି ଆକ୍ରମଣ ପଛରେ ମିଥ୍ୟା ଗୁପ୍ତଚର କୁହାଯାଉଛି। ସୂଚନାନୁସାରେ, ସୁରକ୍ଷା ବାହିନୀ ଖବର ପାଇଥିଲେ ଯେ ଦୁଇ ବଡ ନକ୍ସଲ କମାଣ୍ଡର ମାଡବି ହିଡମା ଏବଂ ତାଙ୍କ ସହଯୋଗୀ ସୁଜାତା ବିଜାପୁରର ତରେମ ଅଞ୍ଚଳର ଜୋନାଗୁଡା ପାହାଡ ନିକଟରେ ଲୁଚି ରହିଛି ।

ଏହି ସୂଚନାକୁ ଆଧାର କରି ଶୁକ୍ରବାର ରାତିରେ ବିଜାପୁର ଏବଂ ସୁକମା ଜିଲ୍ଲାର ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର କୋବ୍ରା ବାଟାଲିୟନ, DRG ଏବଂ STF ର ମିଳିତ ଦଳ ନକ୍ସଲ ବିରୋଧୀ ଅପରେସନରେ ପଠାଇଥିଲା । ଗୁପ୍ତଚର ସୂଚନା ଆଧାରରେ ଯେତେବେଳେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ,ଠିକ ସେତିକିବେଳେ ପ୍ରାୟ ୪୦୦ ନକ୍ସଲ ସେମାନଙ୍କୁ ତିନି ପାର୍ଶ୍ୱରୁ ଘେରି ରହିଥିଲେ। ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ହେଲେ ନକ୍ସଲମାନେ ଇଂରାଜୀ ଅକ୍ଷର U ଆକାରରେ ତିନି ପାର୍ଶ୍ୱରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ।

ବିଜେପୁର ନକ୍ସଲ ଏନକାଉଣ୍ଟରରେ ସହିଦ ଯବାନଙ୍କ ବିଷୟରେ ସୂଚନା ଦେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ପ୍ରସଙ୍ଗରେ ସିଏମ ଭୁପେଶ ବାଗେଲଙ୍କ ସହ କଥା ହୋଇଥିଲେ ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତ୍ୟେକ ସ୍ତରରେ ସହାୟତା କରିବାକୁ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଥିଲେ। ଅମିତ ଶାହା ଏବଂ ଭୁପେଶ ବାଗେଲ ଦୁହେଁ ଆସାମରେ ନିଜ ନିଜ ଦଳର ପ୍ରଚାର ଅଭିଯାନ ଛାଡି ଫେରି ଆସିଥିଲେ।