ଆରପାରିରେ ବିଶ୍ୱର ସବୁଠୁ ବଡ ପରିବାରର ମୁଖିଆ ଜିଓନା ଚାନା, ପରିବାରରେ ଅଛନ୍ତି ୩୮ ପତ୍ନୀ, ୮୯ ପିଲା

ଭୁବନେଶ୍ୱର: ଦୁନିଆର ସବୁଠୁ ବଡ ପରିବାରର ମୁଖ୍ୟ ଜିଓନା ଚାନାଙ୍କ (Ziona Chana) ଦେହାନ୍ତ ହୋଇଛି । ୭୬ ବର୍ଷୀୟ ଜିଓନା ମିଜୋରାମର ରାଜଧାନୀ ଆଇଜୱାଲ ନିକଟ ବଖତୱାଙ୍ଗ ଗାଁର ବାସିନ୍ଦା ଥିଲେ । ତାଙ୍କ ମୃତ୍ୟୁ ସମ୍ପର୍କରେ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା (CM Zoramthanga) ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଟୁଇଟ୍ କରି କହିଛନ୍ତି, ଯେ ‘ମିଜୋରାମର ଜିଓନା ଚାନାଙ୍କ ୩୮ ପତ୍ନୀ ଏବଂ ୮୯ ପିଲାଙ୍କ ସହ ବିଶ୍ୱର ସର୍ବବୃହତ ପରିବାରର ମୁଖ୍ୟ ଭାବରେ ବିବେଚିତ ହୋଇଥିଲେ। ମିଜୋରାମ ଏବଂ ଏହାର ବଖତୱାଙ୍ଗ ଗାଁ ତାଙ୍କ ପରିବାର ହେତୁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପାଲଟିଥିଲା।

ମିଜୋରାମର ବଖତୱାଙ୍ଗ ଗାଁର ବାସିନ୍ଦା ଜିଓନା ଚାନା ଏକ ୧୦୦ କୋଠରୀ ବିଶିଷ୍ଟ ଘରେ ୩୮ ପତ୍ନୀ, ୮୯ ପିଲା, ୧୪ ବୋହୂ ଏବଂ ୩୩ ନାତୁଣୀଙ୍କ ସହ ରହୁଥିଲେ । ତାଙ୍କ ପରିବାର ଯୋଗୁଁ ତାଙ୍କ ଗାଁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଥିଲା। ଜିଓନା ବୃତ୍ତିରେ ଜଣେ କାର୍ପେଟର ଥିଲେ ।

ସିୟୋନା ଚାନାଙ୍କ ପରିବାରର ଖର୍ଚ୍ଚ ମଧ୍ୟ ସାଧାରଣ ପରିବାର ଅପେକ୍ଷା ଖୁବ ଅଧିକ । ଏକ ସାଧାରଣ ପରିବାରରେ ୨ ରୁ ୩ ମାସ ପର୍ଯ୍ୟନ୍ତ ଯେତେ ରାସନ ଆବଶ୍ୟକ ହୋଇଥାଏ, ଏହି ପରିବାର ପ୍ରତିଦିନ ସେତିକି ରାସନ ଆବଶ୍ୟକ କରନ୍ତି। ଗୋଟିଏ ଦିନରେ ୪୫ କିଲୋଗ୍ରାମରୁ ଅଧିକ ଚାଉଳ, ୩୦ ରୁ ୪୦ କୁକୁଡ଼ା, ୨୫ କିଲୋଗ୍ରାମ ଡାଲି, ୬୦ କିଲୋଗ୍ରାମ ପନିପରିବା ସହ ପ୍ରତିଦିନ ପ୍ରାୟ ୨୦ କିଲୋଗ୍ରାମ ଫଳ ଆବଶ୍ୟକ ହୋଇଥାଏ ।