ଭାରତରେ ୫୦ରୁ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କରୋନା ଭାଇରସ୍ରେ ଆକ୍ରାନ୍ତ ବୋଲି ଜଣାପଡ଼ିଛି । ସମଗ୍ର ଦେଶ କରୋନା ବିରୋଧୀ ଲଢ଼େଇ ଜାରି ରଖିଥିଲାବେଳେ ଏହି ନୂଆ ତଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିନ୍ତା ବଢ଼ାଇ ଦେଇଛି ।
ମନ୍ତ୍ରଣାଳୟ ପରିସ୍ଥିତି ଉପରେ ନଜର ରଖିଛି । ଆକ୍ରାନ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କରୋନା ପଜିଟିଭ୍ ରୋଗୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି କି ନାହିଁ ସେଥିନେଇ ମନ୍ତ୍ରଣାଳୟ ଯାଂଚ କରୁଛି । ସେମାନେ ଚିକିତ୍ସା କରୁଥିବା କରୋନା ରୋଗୀଙ୍କ ଠାରୁ ସଂକ୍ରମିତ ହୋଇଛନ୍ତି କି ସେମାନଙ୍କର କିଛି ସଂକ୍ରମଣ ଇତିହାସ ରହିଛ ସେ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ତେବେ ଆକ୍ରାନ୍ତ୍ର ୫୦ ଜଣଙ୍କ ମଧ୍ୟରୁ କେତେଜଣ କରୋନା ରୋଗୀଙ୍କ ଚିକିତ୍ସା ସହ ଜଡ଼ିତ ନ ଥିଲେ ବୋଲି ଅଧିକାରୀ ଜଣକ ସ୍ପଷ୍ଟ କରିଛନ୍ତି । ସେମାନେ କିପରି କରୋନା ସଂକ୍ରମିତ ହେଲେ ସେନେଇ ନିର୍ଦ୍ଦିଷ୍ଟ ସଂସ୍ପର୍ଶ ବ୍ୟକ୍ତି ଠାବ କରାଯାଉଛି ।
ଦେଶର ହସ୍ପିଟାଲଗୁଡ଼ିକରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ)ର ଅଭାବ ରହିଛି । ସେଥିଯୋଗୁ କରୋନା ଭାଇରସ୍ ଆକ୍ରାନ୍ତ ରୋଗୀମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ପ୍ରତି ସଂକ୍ରମଣ ବିପଦ ରହିଛି । ଏହି ଅଭାବ ପୂରଣ ପାଇଁ ପ୍ରତିରକ୍ଷା ରାଷ୍ଟ୍ରାୟତ ଉଦ୍ୟୋଗ ଓ ଅନ୍ୟ ବେସରକାରୀ କମ୍ପାନୀଗୁଡ଼ିକୁ ବିପୁଳ ସଂଖ୍ୟାରେ ପିପିଇ ଉତ୍ପାଦନ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ପିପିଇ ଦ୍ୱାରା ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ସହ ସାଧାରଣ ଲୋକେ ମଧ୍ୟ ଉପକୃତ ହେବେ ।
ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୯ ତାରିଖରେ କୋଲକାତାସ୍ଥିତି ଆର୍ମି କମାଣ୍ଡ ହସ୍ପିଟାଲରେ ଜଣେ କଲୋନେଲ୍ ର୍ୟାଙ୍କର ଭାରତୀୟ ସେନା ଡାକ୍ତର କୋଭିଡ୍-୧୯ ପଜିଟିଭି୍ ଚିହ୍ନଟ ହୋଇଥିଲେ । ଏହି ଅଧିକାରୀ ଜଣକ ଏବେ ନୂଆଦିଲ୍ଲୀରେ କ୍ୱାରେଟାଂଇନ୍ରେ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସହକର୍ମୀ ଓ ଅନ୍ୟମାନଙ୍କୁ ମଧ୍ୟ କ୍ୱାରେଟାଂଇନ୍ରେ ରଖାଯାଇଛି । ସେହିପରି ଗତ ୧ ତାରିଖରେ ନୂଆଦିଲ୍ଲୀସ୍ଥିତ ସିଆର୍ପିଏଫ୍ କାର୍ଯ୍ୟାଳୟର ଜଣେ ଡାକ୍ତରଙ୍କ ଠାରେ କରୋନା ଭାଇରସ୍ ଚିହ୍ନଟ ହୋଇଥିଲା । ଏବେ ସେ ହରିୟାଣାର ଝାଜରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସାଧୀନ ଅଛନ୍ତି ।
ଏହା ପୂର୍ବରୁ ନୂଆଦିଲ୍ଲୀ ଏମ୍ସରେ କାର୍ଯ୍ୟରତ ଜଣେ ରେସିଡେଂଟ ଡାକ୍ତର ଓ ତାଙ୍କର ୯ ମାସ ଗର୍ଭବତୀ ପତ୍ନୀ କରୋନା ଭାଇରସ୍ ଆକ୍ରାନ୍ତ ହୋଇଥିଲେ ।