ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କ ପର୍ଯ୍ୟନ୍ତ । ସମସ୍ତେ କରୋନା କରାଳରେ ଗ୍ରାସ ହେଉଛନ୍ତି । ଏହାରି ମଧ୍ୟରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଅଜିତ୍ ଦାସ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।
ମଙ୍ଗଳବାର ରାତିରେ ଅଭିନେତା ଅଜିତ୍ ଦାସ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏ ସଂକ୍ରାନ୍ତରେ ‘ଓଡ଼ିଶା ମୋ ପରିବାର’ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଏବଂ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡାଙ୍କୁ ତାଙ୍କ ଝିଅ ଯୋଗାଯୋଗ କରିଥିଲେ ।
ସେମାନଙ୍କ ସହଯୋଗରେ ଅଭିନେତା ଅଜିତ୍ ଦାସଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା ଏବଂ ଆଜି ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି । ଅଜିତ୍ ଦାସଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଭୁବନେଶ୍ବରର ଏକ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ଏବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଓ ଭଲ ରହିଛି ବୋଲି ହସ୍ପିଟାଲ୍ ସୂତ୍ରରୁ ଜଣାପଡ଼ିଛି । ବରିଷ୍ଠ ଅଭିନେତା ଅଜିତ୍ ଦାସ କରୋନା ଆକ୍ରାନ୍ତ ବୋଲି ଜାଣିବା ପରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଓ ଅଭିନେତ୍ରୀ ତଥା ଅନ୍ୟ ବ୍ୟକ୍ତିବିଶେଷ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଏବଂ ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।