Trending

ରାଜଧାନୀରେ କୋଟିଏ ଟଙ୍କାର ଧଳା ଜହର ଜବତ, STF ହାତରେ ୨ ବେପାରୀ





ଭୁବନେଶ୍ୱର: ଖଣ୍ଡଗିରି ଛକରୁ କ୍ରାଇମବ୍ରାଂଚର ଏସଟିଏଫ ଦୁଇ ନିଶା ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ପ୍ରାୟ ଏକ କିଲୋ ବ୍ରାଉନସୁଗର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ତେବେ ପୁଲିସକୁ ଚକମା ଦେଇ ନିଶା ମାଫିଆ ବନ୍ଧୁକ ସହ ଖସି ଯିବାରେ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତଦ୍ୱୟ ଖୋର୍ଦ୍ଧା ଜଙ୍କିଆ ଅଂଚଳର ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ବାଲେଶ୍ୱର ଅଂଚଳର ନିଶl ମାଫିଆମାନେ ବିପୁଳ ପରିମାଣର ବ୍ରାଉନସୁଗର ଆଣି ଖଣ୍ଡଗିରି ଛକରେ ଡିଲ କରୁଥିବା ନେଇ ଏସଟିଏଫକୁ ସୁରାକ ମିଳିଥିଲା । କିଛିଦିନ ହେଲା ଏସଟିଏଫର ସ୍ୱତନ୍ତ୍ର ଟିମ ନିଶା ମାଫିଆଙ୍କ ଉପରେ ନଜର ରଖିଥିଲା । କିଛିଦିନ ତଳେ ଦୁଇ ଜଣ ନିଶା ବେପାରୀଙ୍କୁ ଧରି ଏସଟିଏଫ ଖଣ୍ଡଗିରି ପୁଲିସକୁ ହସ୍ତାନ୍ତର କରିଥିଲା । ଜେରା ବେଳେ ସେମାନଙ୍କ ଠାରୁ ମାଫିଆଙ୍କ ସମ୍ପର୍କରେ ସୂଚନା ମିଳିଥିଲା । ତେବେ ସୋମବାର ରାତିରେ ଜଳେଶ୍ୱର ଅଂଚଳର ନିଶା ମାଫିଆ ପ୍ରାୟ ଦୁଇକିଲୋରୁ ଅଧିକ ବ୍ରାଉନସୁଗର ନେଇ ଭୁବନେଶ୍ୱର ଆସିଥିଲା । ଖଣ୍ଡଗିରି ଛକ ନିକଟରେ ବେପାରୀଙ୍କ ସହ ଡିଲ କରୁଥିବା ନେଇ ଏସଟିଏଫକୁ ଖବର ମିଳିଥିଲା ।

ପରେ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ ସେଠାରେ ଚଢାଉ କରିଥିଲା । ଚଢାଉ ବେଳେ ନିଶା ମାଫିଆ ଖସି ପଳାଇଯାଇଥିଲା । ହେଲେ ଦୁଇ ବେପାରୀଙ୍କୁ ଏସଟିଏଫ କାବୁ କରିଥିଲେ । ଯାଂଚ ବେଳେ ସେମାନଙ୍କ ଠାରୁ କିଲୋରୁ ଅଧିକ ବ୍ରାଉନସୁଗର ଜବତ ହୋଇଥିଲା । ପରେ ଏସଟିଏଫ ସେମାନଙ୍କୁ ହେପାଜତକୁ ନେଇ ଜେରା କରୁଛି । ଧରାପଡିଥିବା ଦୁଇ ବେପାରୀ ରାଜଧାନୀ, ଖୋର୍ଦ୍ଧା ଅଂଚଳରେ ବ୍ରାଉନସୁଗର କାରବାର କରୁଥିବା ସ୍ୱିକାର କରିଛନ୍ତି । ଏମାନଙ୍କ ଠାରୁ ଗୋଟିଏ ବାଇକ ଓ ୩ଟି ମୋବାଇଲ ସହ ଟଙ୍କା ମଧ୍ୟ ଜବତ କରାଯାଇଛି । ତେବେ ଖସି ଯାଇଥିବା ମାଫିଆକୁ ଧରିବା ଲାଗି ଏସଟିଏଫ ଉଦ୍ୟମ ଆରମ୍ଭ କରିଛି


Tags

Related Articles

Back to top button
Close